ରଜନୀକାନ୍ତଙ୍କ ପାଇଁ ୭ ଦିନର ଉପବାସ ବ୍ରତ ରଖିଥିଲେ ଶ୍ରୀଦେବୀ

ମୁମ୍ବାଇ: ସାଉଥ ସିନେମାରୁ ବଲିଉଡ ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିତିଥିବା ସୁପରଷ୍ଟାର ରଜନୀକାନ୍ତ ଆଜିବି ମନୋରଞ୍ଜନ ଦୁନିଆରେ ବେଶ ଆକ୍ଟିଭ । କିଛିଦିନ ପାଇଁ ସେ ରାଜନୀତିରେ ଯୋଗ ଦେଇଥିଲେ ବି ଏଥିରୁ ଓହରି ଆସିଛନ୍ତି । ୭୨ ବର୍ଷିୟ ଅଭିନେତା ରଜନୀକାନ୍ତ ଆଜି ବି ବେଶ ଆକ୍ଟିଭ । ସେ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ମୁଭି ଭେଟି ଦେଇଛନ୍ତି ଦର୍ଶକଙ୍କୁ । ବିଶେଷ ଭାବେ ସେ ଶ୍ରୀଦେବୀଙ୍କ ସହ ଯେତିକି ମୁଭି କରିଛନ୍ତି ପ୍ରାୟ ସବୁ ମୁଭି ହିଟ ହୋଇଛି । ତେବେ ରଜନୀକାନ୍ତଙ୍କ ପାଇଁ ଶ୍ରୀଦେବୀ ୭ ଦିନର ଉପବାସ ବ୍ରତ ରଖିଥିବା ବେଳେ ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ।
ତାଙ୍କ ଜମାନରେ ରଜନୀକାନ୍ତ ଓ ଶ୍ରୀଦେବୀଙ୍କ ଯୋଡି ଥିଲା ଚର୍ଚ୍ଚାରେ । ଉଭୟ ସାଉଥ ସିନେମା ସହ ବଲିଉଡରେ ବି ଧମାଲ କରୁଥିଲେ । ଉଭୟ ମିଶି ପ୍ରାୟ ୨୫ଟି ଫିଲ୍ମରେ ଅଭିନୟ କରିଛନ୍ତି ଯାହା ବକ୍ସ ଅଫିସରେ ହିଟ୍ ହୋଇଛି । ଏଥିମଧ୍ୟରୁ ଅଧିକାଂଶ କନ୍ନଡ, ମଲାୟାଲମ, ତେଲଗୁ ଓ ତାମିଲ ଫିଲ୍ମ । ତେବେ ଫରିସ୍ତେ, ଚାଲବାଜ, ଭଗବାନ ଦାଦା, ଜୁଲ୍ମ ଓ ଗୈର କାନୁନୀ ରଜନୀକାନ୍ତ ଓ ଶ୍ରୀଦେବୀଙ୍କ ହିଟ ଫିଲ୍ମ ମଧ୍ୟରୁ ଅନ୍ୟତମ । ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ରଜନୀକାନ୍ତ କହିଥିଲେ, ୨୦୧୧ରେ ‘ରାଣା’ ଫିଲ୍ମର ଶୁଟିଂ ସମୟରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ପାଇଁ ତାଙ୍କୁ ସିଙ୍ଗାପୁର ଯିବାକୁ ପଡିଥିଲା । ଏ ସମ୍ପର୍କରେ ଶ୍ରୀଦେବୀ ଜାଣିବା ପରେ ଖୁବ୍ ଚିନ୍ତିତ ହୋଇପଡିଥିଲେ । ରଜନୀକାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ସେ ଶିରିଡି ଯାଇଥିଲେ । ଶିରିଡିରେ ଦର୍ଶନ କରିବା ପରେ ସେ ରଜନୀକାନ୍ତଙ୍କ ପାଇଁ ୭ ଦିନର ଉପବାସ ବ୍ରତ ରଖିଥିଲେ । ଉଦ୍ଦେଶ୍ୟ ଥିଲା ରଜନୀକାନ୍ତ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।
ଶେଷରେ ତାହାହିଁ ହୋଇଥିଲା । ଶ୍ରୀଦେବୀଙ୍କ ଡାକ ଭଗବାନ ଶୁଣିଥିଲେ ଓ ରଜନୀକାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଆଉ ଘରକୁ ଫେରିବା ପରେ ଶ୍ରୀଦେବା ପତି ବୋନି କପୁରଙ୍କ ସହ ରଜନୀକାନ୍ତଙ୍କୁ ଦେଖିବାକୁ ତାଙ୍କ ଘରେ ପହଞ୍ଚିଥିଲେ । ଆଜି ଯଦିଓ ଶ୍ରୀଦେବୀ ଆମ ଗହଣରେ ନାହାନ୍ତି ହେଲେ ତାଙ୍କର ଏହି କଥାକୁ ଆଜିବି ମନେ ପକାନ୍ତି କୋଷ୍ଟାର ରଜନୀକାନ୍ତ ।

Share