ବମ୍ବେ: ଖିଲାଡ଼ି କିଙ୍ଗ ଅକ୍ଷୟ କୁମାରଙ୍କ ସହ ସମ୍ପର୍କରେ ତିକ୍ତତାକୁ ନେଇ ଚର୍ଚ୍ଚାରେ ଥିଲେ କମେଡିଆନ୍ କପିଲ ଶର୍ମା। ଏକ ଫିଲ୍ମର ପ୍ରମୋଶନରେ ଅଭିନେତା ଆସିଥିବା ବେଳେ କପିଲ କହିଥିବା କଥାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇଥିଲା। ଏହାକୁ ନେଇ ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ପ୍ରମୋଶନ ଲାଗି କପିଲଙ୍କ ଶୋ’ ‘କମେଡି ନାଇଟ୍ସ ଉଇଥ୍ କପିଲ୍’କୁ ଆସିବେ ନାହିଁ ବୋଲି ସଫାସଫା ଶୁଣାଇଥିଲେ ଅକ୍ଷୟ। ଏହି ଘଟଣା ଉପରେ ଏବେ ପ୍ରତିକ୍ରିୟା ରଖିଛନ୍ତି କପିଲ।
ଏକ ଟୁଇଟ୍ କରି କପିଲ କହିଛନ୍ତି, ‘ମୁଁ ଅକ୍ଷୟ କୁମାର ଏବଂ ମୋ ବିଷୟରେ କିଛି ଖବର ପଢ଼ିଥିଲି। ଏନେଇ ମୁଁ ତାଙ୍କ ସହ କଥା ହୋଇଛି। ସବୁକିଛି ଠିକ୍ କରିଛି। ଏହା କେବଳ ଏକ ଭ୍ରାନ୍ତ ଧାରଣା ଥିଲା। ଆମେ ଖୁବ୍ଶୀଘ୍ର ବଚ୍ଚନ ପାଣ୍ଡେର ଏପିସୋଡ ଲାଗି ଶୁଟିଂ କରିବୁ। ସେ ମୋର ଜଣେ ବଡ଼ ଭାଇ। ସେ କେବେ ବି ମୋ ଉପରେ ରାଗିପାରିବେ ନାହିଁ।’
କହିରଖୁଛୁ, ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ଙ୍କ ସହ ଫିଲ୍ମ ‘ଅତରଙ୍ଗୀ ରେ’ର ପ୍ରମୋଶନ ଲାଗି କପିଲଙ୍କ ଶୋ’କୁ ଆସିଥିଲେ ଅକ୍ଷୟ। ଏହି ସମୟରେ ଉଭୟ ଉଭୟଙ୍କ ଗୋଡ ଟାଣିଥିଲେ। ମଜା ମଜାରେ କପିଲ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର କଥା ଉଠାଇଥିଲେ। ପରେ ଶୋ’ର ଶୁଟିଂ ଶେଷ ହେବା ପରେ ଏହି ଭାଗକୁ ନ ଦେଖାଇବା ଲାଗି ଅକ୍ଷୟ କହିଥିଲେ। ହେଲେ କପିଲ ଏବଂ ନିର୍ମାତାମାନେ ଏହାକୁ ଅଣଦେଖା କରି ତାହା ଟେଲିକାଷ୍ଟ କରିଥିଲେ। ଏହି କାରଣରୁ ଅକ୍ଷୟ ରାଗିଥିବା କୁହାଯାଉଛି।