ଆଜି ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ଜାଣନ୍ତୁ କେଉଁଠି ହେଉଛି ମତଦାନ…

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ଦେଶରେ ୫ମ ଏବଂ ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ୫ ଲୋକ ସଭା ଆସନ ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, ଆସିକା ଏବଂ କନ୍ଧମାଳ ଏବଂ ଏହି ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ୩୫ ବିଧାନସଭା ଆସନରେ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ବୁଥ୍‌ରେ ପ୍ରିଜାଇଡିଂ ଏବଂ ପୋଲିଂ ଅଧିକାରୀ ପହଞ୍ଚତ୍ ଯାଇଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୫ଟି ସଂସଦୀୟ କ୍ଷେତ୍ରରେ ୪୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ୩୫ ବିଧାନସଭା ଆସନ ପାଇଁ ୨୬୫ ପ୍ରାର୍ଥୀ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୧ ମହିଳା ପ୍ରାର୍ଥୀ ଥିବା ବେଳେ ୨୨୪ଜଣ ପୁରୁଷ ପ୍ରାର୍ଥୀ ରହିଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୭୯,୬୯,୮୮୭ ମତଦାତା ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୪୦,୩୩,୯୯୨ ପୁରୁଷ, ୩୯,୩୫,୦୪୪ ମହିଳା ଓ ୮୫୧ ତୃତୀୟଲିଙ୍ଗୀ ଭୋଟର ରହିଛନ୍ତି। ଏମାନଙ୍କ ମଧ୍ୟରେ ୨,୧୩,୧୨୯ ଜଣ ୧୮-୧୯ ବର୍ଷ ବୟସର ପ୍ରଥମଥର ମତଦାତା, ୨୦-୨୯ ବର୍ଷ ବୟସର ୧୬,୯୮,୫୧୬ ଜଣ ଯୁବ ମତଦାତା ରହିଛନ୍ତି। ସେହିଭଳି ୫୫,୮୮୨ ଜଣ୮୫ ବର୍ଷରୁ ଊର୍ଦ୍ଧ୍ୱ ମତଦାତା, ୧,୮୧୨ ଜଣ ୧୦୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ମତଦାତା, ୧,୦୭,୮୨୩ ଜଣ ଭିନ୍ନକ୍ଷମ ମତଦାତା, ୪୬ ଜଣ ପ୍ରବାସୀ ମତଦାତା ଓ ୧୦,୬୩୦ ଜଣ ସର୍ଭିସ ଭୋଟର ରହିଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୯,୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି। ୯,୧୪୮ ମତଦାନ କେନ୍ଦ୍ର ମଧ୍ୟରୁ ୧,୦୯୦ଟି ସହରାଞ୍ଚଳ ଓ ୮,୦୫୮ଟି ଗ୍ରାମାଞ୍ଚଳରେ ରହିଛି। ଏହା ମଧ୍ୟରେ ୧,୦୪୧ଟି ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ‘ସଖୀ’ ମତଦାନ କେନ୍ଦ୍ର, ୨୫ଟି ‘ସମ୍ପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର ରହିଛି। ଏହି ପର୍ଯ୍ୟାୟରେ ମୋଟ ୧,୫୪୧ଟି ଆଦର୍ଶ ମତଦାନ କେନ୍ଦ୍ର (ମଡେଲ ବୁଥ) ରହିଛି। ଏହି ପର୍ଯ୍ୟାୟରେ ପ୍ରାୟ ୬୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିଯୋଜିତ ହୋଇଛନ୍ତି।

Share