Categories: ଫୁରସତ

ଜାଣନ୍ତି ସୂର୍ଯ୍ୟମୁଖୀ ଫୁଲର ମୁହଁ ସୂର୍ଯ୍ୟଙ୍କ ଆଡ଼କୁ କାହିଁକି ଥାଏ

କିଛି ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ ସୂର୍ଯ୍ୟମୁଖୀ ଫୁଲର ମୁହଁ କାହିଁକି ସୂର୍ଯ୍ୟଙ୍କ ଆଡ଼କୁ ଥାଏ। ଏହା ପଛର କାରଣ କ’ଣ ଜାଣିବା ପାଇଁ ଆଜି ବି ଲୋକଙ୍କ ମନରେ ଉତ୍କଣ୍ଠା ରହିଛି। ସାଧାରଣତଃ ସୂର୍ଯ୍ୟମୁଖୀ ଫୁଲ ଶୀତଦିନେ ଫୁଟିଥାଏ। ଯେଉଁଠି ୬ ଘଣ୍ଟାରୁ ଅଧିକ ଖରା ପଡ଼ିଥାଏ ସେପରି ସ୍ଥାନରେ ସୂର୍ଯ୍ୟମୁଖୀ ଅଧିକରୁ ଅଧିକ ଫୁଟିଥାଏ। ସକାଳୁ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇଥାନ୍ତି। ତେଣୁ ଫୁଲର ମୁହଁ ପୂର୍ବ ଦିଗକୁ ରହିଥାଏ। ଧିରେ ଧିରେ ସୂର୍ଯ୍ୟଙ୍କ ଦିଗ ପରିବର୍ତ୍ତନ ସହ ଫୁଲର  ଦିଗ ମଧ୍ୟ ପରିବର୍ତ୍ତନ ହୋଇଥାଏ।

ସନ୍ଧ୍ୟାରେ ସୂର୍ଯ୍ୟମୁଖୀ ଫୁଲ ପଶ୍ଚିମ ଦିଗକୁ ରହୁଥିବା ବେଳେ ସକାଳୁ ପୁଣି ପୂର୍ବ ଦିଗକୁ ପରିବର୍ତ୍ତନ ହୋଇଥାଏ। ଏହି ପ୍ରକ୍ରିୟା ନିୟମିତ ଚାଲିଥାଏ। ବର୍ତ୍ତମାନ ପ୍ରଶ୍ନ ଉଠୁଛି କେଉଁ କାରଣରୁ ସୂର୍ଯ୍ୟମୁଖୀ ଫୁଲ ସୂର୍ଯ୍ୟଙ୍କ ଆଡ଼କୁ ଗତି କରେ।

୨୦୧୬ରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ମଣିଷ ଭିତରେ ଯେପରି ଏକ ଜୈବିକ ଘଣ୍ଟା  ଅଛି, ସେହିପରି ସୂର୍ଯ୍ୟମୁଖୀ ଫୁଲରେ ମଧ୍ୟ ଏକ ସ୍ବତନ୍ତ୍ର ପ୍ରକାରର ବ୍ୟବସ୍ଥା ଅଛି, ଯାହାକୁ ହେଲିଓଟ୍ରପିଜିମ୍‌ କୁହାଯାଏ। ଏହାକୁ ସୂର୍ଯ୍ୟମୁଖୀର ଜୈବିକ ଘଣ୍ଟା  ମଧ୍ୟ କୁହାଯାଏ। ଏହା ସୂର୍ଯ୍ୟଙ୍କ କିରଣକୁ ଚିହ୍ନିଥାଏ ଏବଂ ଫୁଲକୁ ସୂର୍ଯ୍ୟ ଯେଉଁଠାରେ ଅଛି ସେ ଆଡ଼କୁ ବଙ୍କା ହେବାକୁ ପ୍ରେରିତ କରେ।

ଏହି ଅନୁସନ୍ଧାନରେ ଏହା ମଧ୍ୟ ଦେଖିବାକୁ ମିଳିଥିଲା ଯେ, ଏହି ଫୁଲଗୁଡ଼ିକ ରାତିରେ ବିଶ୍ରାମ ନିଅନ୍ତି ଏବଂ ଦିନରେ ସୂର୍ଯ୍ୟ କିରଣ ପାଇବା ମାତ୍ରେ ସକ୍ରିୟ ହୋଇଉଠନ୍ତି। ସୂର୍ଯ୍ୟ କିରଣ ବଢ଼ିବା ସହିତ ସୂର୍ଯ୍ୟମୁଖୀ ଫୁଲର କାର୍ଯ୍ୟକଳାପ ମଧ୍ୟ ବଢ଼େ। ହେଲିଓଟ୍ରପିଜିମ୍‌ ହେଉଛି ଏକ ପ୍ରକ୍ରିୟା ଯାହା ଦ୍ୱାରା ସୂର୍ଯ୍ୟମୁଖୀ ଫୁଲ ସୂର୍ଯ୍ୟଙ୍କ ଆଡ଼କୁ ମୁହାଁଇଥାଏ।

Share