ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ…

ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ସିତାଂଶୁ ଶେଖର ମହାପାତ୍ର। ୨୦୨୪ ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ୧୬,୦୬୮ ଖଣ୍ଡ ଭୋଟ୍‌ରେ ହରାଇ ପ୍ରଥମଥର ବିଧାୟକ ହୋଇଛନ୍ତି। ନିର୍ବାଚନମଣ୍ଡଳୀର କୁଆଁସରେ ୧୯୮୨ ଜୁନ୍‌ ୨୦ରେ ସିତାଂଶୁଙ୍କ ଜନ୍ମ । କିଶୋର ମହାପାତ୍ର ଓ କୁନ୍ତଳା ମହାପାତ୍ରଙ୍କ ସେ ମଝିଆ ପୁତ୍ର। ବ୍ୟାବସାୟିକ ପରିବାରରୁ ଆସି ସେ ଜନପ୍ରତିନିଧି ହୋଇପାରିଛନ୍ତି। ତାଙ୍କ ପରିବାରର ରାଇସ୍‌ ମିଲ, ଟ୍ରାକ୍ଟର ଶୋ’ରୁମ୍‌, ଦୁଇଚକିଆ ଶୋ’ରୁମ୍‌, ମୋବାଇଲ ଦୋକାନ ଆଦି ବ୍ୟବସାୟ ରହିଛି।
ବିଧାୟକ ସିତାଂଶୁ ବାଣିଜ୍ୟରେ ସ୍ନାତକ କରିଛନ୍ତି। ଶହୀଦ ଭଗତ ସିଂଙ୍କ ନାମରେ ‘ଶହୀଦ ଭଗତ ସେନା’ ଗଠନ କରି ସେ ଭଦ୍ରକରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଜିଲା ଓ ଜିଲା ବାହାରୁ ବହୁ ଯୁବକ ତାଙ୍କ ସଙ୍ଗଠନରେ ଯୋଡ଼ି ହୋଇଥିବା ବେଳେ ସେ ନିଜେ ସଙ୍ଗଠନର ଆବାହକ ଥିଲେ। ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହ ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନ ଥିବା ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଯୋଗାଇଥାଆନ୍ତି। ତାଙ୍କର ସେବା, ସାହାଯ୍ୟ ପାଇଁ ଚନ୍ଦୁ ନନା ନାମରେ ସେ ସମସ୍ତଙ୍କର ପ୍ରିୟ ଥିଲେ। ସଙ୍ଗଠନର ସେବା ମନୋବୃତ୍ତି ପର ମୁହୂର୍ତ୍ତରେ ତାଙ୍କୁ ରାଜନୀତିରେ ସଫଳ କରାଇବାରେ ସହାୟକ ହୋଇଛି। ତାଙ୍କର ସାଙ୍ଗଠନିକ ଦକ୍ଷତା ପାଇଁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଭଦ୍ରକ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆସନରେ ଦଳୀୟ ପ୍ରାର୍ଥୀ କରିଥିଲେ। ଭେଟେରାନ୍‌ ଲିଡର ପ୍ରଫୁଲ୍ଲଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବା ଓ ବିଜୟୀ ହେବା ପାଇଁ ତାଙ୍କ ସ୍ତ୍ରୀଙ୍କ ସମେତ ପରିବାର, ସଙ୍ଗଠନ ଓ ଦଳୀୟ କର୍ମୀମାନେ ଜୋରଦାର ଉଦ୍ୟମ କରିଥିଲେ।
ବିଧାୟକ କୁହନ୍ତି…
ସାଙ୍ଗଠନିକ ଅଭିଜ୍ଞତା ତାଙ୍କ ପାଇଁ ସଫଳତା ଆଣି ଦେଇଛି। ଶହୀଦ ଭଗତ ସେନାରେ ରହି ଲୋକଙ୍କ ସେବା କରୁଥିଲି। ଏହି ସେବାକୁ ବ୍ୟାପକ କରିବା ପାଇଁ ରାଜନୀତିକୁ ଉଚିତ୍‌ ପ୍ଲାଟ୍‌ଫର୍ମ ଭାବେ ପସନ୍ଦ କଲି। ପୂର୍ବରୁ ଯେମିତି ରହିଥିଲି, ବିଧାୟକ ହେବା ପରେ ମଧ୍ୟ ସେମିତି ରହିବିି। କ୍ଷମତା ରହୁ କି ନ ରହୁ ଲୋକଙ୍କ ସହ ସବୁବେଳେ ରହିବି। ଭଦ୍ରକ ସହର ଓ ଗ୍ରାମାଞ୍ଚଳରେ ବହୁ ସମସ୍ୟା ରହିଛି। ପୂର୍ବ ସରକାରରେ ଭଦ୍ରକ ପ୍ରତି ଅବହେଳା ହୋଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭଦ୍ରକ ପଛରେ ରହିଥିବା ବେଳେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜିଲାବାସୀଙ୍କ ପ୍ରମୁଖ ଦାବିକୁ ପୂର୍ବ ସରକାର ସମୟରେ ବାରମ୍ବାର ଅଣଦେଖା କରାଯାଇଛି। ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ସରକାରଙ୍କ ନିକଟରେ ତାଙ୍କ ଦାବି ନିରନ୍ତର ଜାରି ରହିବ। ଭଦ୍ରକରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନକୁ ସୁଦୃଢ଼ କରିବା ଲାଗି ପ୍ରଚେଷ୍ଟା ଜାରି ରଖିବେ ବୋଲି ସିତାଂଶୁ କହିଛନ୍ତି।
ରିପୋର୍ଟ-ସନାତନ ରାଉତ

Share