ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଅଧୀନ ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୨୪ ନିର୍ବାଚନରେ ଭାଜପା ଟିକେଟରେ କେ. ଅନିଲ କୁମାର ବିଜୟୀ ହୋଇ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି। ସେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ୧୮,୭୦୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ବ୍ରହ୍ମପୁର ନିର୍ବାଚନମଣ୍ଡଳୀର ବ୍ରହ୍ମପୁର ସହରରେ ୧୯୭୧ ଡିସେମ୍ବର ୨ତାରିଖରେ ତାଙ୍କର ଜନ୍ମ। କେ.ବାବଜୀ ଓ କେ.ସୁଗୁନାଙ୍କ ସେ ୩ୟ ସନ୍ତାନ। ବାପା ଜଣେ ବ୍ୟବସାୟୀ। ବ୍ୟବସାୟିକ ପରିବାରରୁ ଆସି ଅନିଲ ଜନପ୍ରତିନିଧି ହୋଇପାରିଛନ୍ତି। ସେ ବ୍ରହ୍ମପୁରରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ସେଣ୍ଟ ଭିନ୍‌ସେଣ୍ଟ ସ୍କୁଲରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ବିଶାଖାପାଟଣା ଚାଲିଯାଇଥିଲେ। ସେଠାରେ କାକତିଆ ପବ୍ଲିକ ସ୍କୁଲରେ ମାଟ୍ରିକ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରି ବିଜୟୱାଡାରେ ଯୁକ୍ତ ୨ ପଢ଼ିଥିଲେ। ପରେ ବିଶାଖାପାଟଣା ଆସି ଗୀତମ୍‌ କଲେଜରେ ନାମ ଲେଖାଇଥିଲେ। ସେଠାରେ ବିଜ୍‌ନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି। ପିଲାଦିନୁ କ୍ରିକେଟରେ ରୁଚି ରଖିଥିବା ଅନିଲ ବହୁ ଟୁର୍ନାମେଣ୍ଟରେ ଭାଗ ନେଇଛନ୍ତି। ଜିଲାସ୍ତରୀୟ ଟୁର୍ନାମେଣ୍ଟରେ ଭାଗ ନେଇ ସୁନାମ ଅର୍ଜନ କରିଥିଲେ। ତେବେ କୌଣସି କାମରେ ଜଣେ ରାଜନେତାଙ୍କ ସହ ମିଶିଥିଲେ। ସେଇଠୁ ତାଙ୍କର ରାଜନୀତି କରିବାକୁ ଆଗ୍ରହ ହୋଇଥିଲା। ୧୯୯୮ରେ ରାଜନୀତିରେ ପ୍ରବେଶ କରି ଅଞ୍ଚଳରେ ଜନସେବା ଆରମ୍ଭ କରିଥିଲେ। ସମସ୍ତଙ୍କ ସୁଖଦୁଃଖର ସାଥୀ ହୋଇଥିବାରୁ ଅଞ୍ଚଳବାସୀଙ୍କ ସମର୍ଥନରେ ୨୦୦୩ରେ ବ୍ରହ୍ମପୁର ମ୍ୟୁନିସିପାଲିଟି ନିର୍ବାଚନରେ ୧୧ନଂ. ୱାର୍ଡରୁ ସ୍ବାଧୀନ ଭାବେ କାଉନସିଲର ନିର୍ବାଚିତ ହୋଇଥିଲେ। ପୁଣି ୨୦୦୮ରେ ୧୩ନଂ. ୱାର୍ଡରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ସେହି ବର୍ଷ ବ୍ରହ୍ମପୁର ମହାନଗର ନିଗମ ହେବା ପରେ ସେ ବିଜେଡିରେ ଯୋଗ ଦେଇଥିଲେ। ନିରବଚ୍ଛିନ୍ନ ଭାବେ ବିଜେଡିରେ ରହି ୧୫ ବର୍ଷ ଦଳ ପାଇଁ କାମ କରି ଆସୁଥିଲେ। କିନ୍ତୁ ବିଧାୟକ ପାଇଁ ଆଶାୟୀ ଥିବା ଅନିଲଙ୍କୁ ଦଳ ଅଣଦେଖା କରିବାରୁ ସେ ଭାଜପାରେ ଯୋଗଦେଇଥିଲେ। ବିଜେଡିରେ ଥିବାବେଳେ ତାଙ୍କ କାର୍ଯ୍ୟଦକ୍ଷତାକୁ ପରଖି ଭାଜପା ତରଫରୁ ତାଙ୍କୁ ଟିକେଟ ମିଳିଥିଲା। ଭେଟେରାନ ଲିଡର ତଥା ରାଜନୈତିକ କ୍ଷେତ୍ରରେ ତାଙ୍କ ପଥପ୍ରଦର୍ଶକ ବିଜେଡିର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ବିପକ୍ଷରେ ଜିତିବା ତାଙ୍କ ପାଇଁ ସହଜସାପେକ୍ଷ ନ ଥିବା କୁହାଯାଉଥିଲା। ହେଲେ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ମିଳିବାରୁ ତାଙ୍କ ବିଜୟ ସମ୍ଭବ ହୋଇଛି।

Share