ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଇଂ. ରଘୁନାଥ ଜଗଦଲା। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ୨୧,୯୪୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ପ୍ରଥମ ଥର ବିଧାୟକ ହୋଇଛନ୍ତି। ମୋଟ ୧ଲକ୍ଷ ୭୭ହଜାର ୮୧୦ଖଣ୍ଡ ଭୋଟରୁ ରଘୁନାଥ ୮୫, ୬୮୦ ପାଇଥିବା ବେଳେ ପଦ୍ମନାଭଙ୍କୁ ମିଳିଥିଲା ୬୩, ୭୩୫ ଭୋଟ।
ବୀରମହାରାଜପୁର ବ୍ଲକ କମିରା ଗ୍ରାମରେ ୧୧ ମାର୍ଚ୍ଚ ୧୯୭୩ରେ ରଘୁନାଥଙ୍କ ଜନ୍ମ। ମା’ ଅଯୋଧ୍ୟା ଓ ବାପା କଷ୍ଟ ଜଗଦଲାଙ୍କ ୨ ପୁଅଙ୍କ ମଧ୍ୟରେ ସେ ବଡ଼। ରଘୁନାଥଙ୍କୁ ମାତ୍ର ୧୦ ବର୍ଷ ହୋଇଥିଲା ବେଳେ ମା’ ଆରପାରିକୁ ଚାଲିଗଲେ। କମିରା ଓ ଯାଲୋଏ ଗାଁରେ ପ୍ରାଥମିକ ଶିକ୍ଷା ଏବଂ ସୋନପୁର ମହାରାଜା ହାଇସ୍କୁଲରେ ମାଟ୍ରିକ୍‌ ପରେ ସୋନପୁର କଲେଜରେ ଯୁକ୍ତ ୨ ବିଜ୍ଞାନ ଶିକ୍ଷା କରିଥିଲେ। ଭୁବନେଶ୍ୱର ଓୟୁଏଟିରୁ କୃଷିରେ ବିଏସ୍‌ସି କରୁଥିବା ସମୟରେ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ସେ ମନ ବଳାଇଥିଲେ। ତେଣୁ ପ୍ରଥମ ବର୍ଷ ପଢ଼ା ସରିବା ପରେ ସେ ବୁର୍ଲା ଭିସୁଟ୍‌ରେ ମେକାନିକାଲ ଇଞ୍ଜିନିୟରିଂ ପଢ଼ିଥିଲେ। ପରେ ବମ୍ବେରେ ମେରାଇନ ଇଞ୍ଜିନିୟରିଂ ଓ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ କରିଥିଲେ। ୧୯୯୯ ମସିହାରେ ସେ ଭାରତ ସରକାରଙ୍କ ଶିପିଂ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆରେ ଚାକିରି ଆରମ୍ଭ କରିଥିଲେ। ୨୦୧୦ ମସିହାରେ ପଦୋନ୍ନତି ପାଇ ଶିପିଂ କର୍ପୋରେଶନର ମୁଖ୍ୟଯନ୍ତ୍ରୀ ହୋଇ ୨୦୧୧ ପର୍ଯ୍ୟନ୍ତ ସେ ସେଠାରେ କାର୍ଯ୍ୟ କରିଥିଲେ। ପରେ ସିଙ୍ଗାପୁରର ଶିପ୍‌ ମ୍ୟାନେଜ୍‌ମେଣ୍ଟ କମ୍ପାନୀରେ ମେରାଇନ ଚିପ୍‌ ଇଞ୍ଜିନିୟର ଭାବେ ୨୦୧୮ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଦୀର୍ଘ ୧୯ ବର୍ଷ ଚାକିରି ଜୀବନରେ ସେ ଆମେରିକା, ରୁଷିଆ, ଆର୍ଜେଣ୍ଟିନା, ୟୁକ୍ରେନ୍‌, କୁଏତ, ଦୁବାଇ, ସିଙ୍ଗାପୁର ଭଳି ୭୦ ରୁ ୮୦ ବିଦେଶୀ ରାଷ୍ଟ୍ର ବୁଲିଛନ୍ତି। ଖାଇବା ତେଲ, ପେଟ୍ରୋଲ, ଡିଜେଲଠାରୁ ଆରମ୍ଭ କରି ଏଲ୍‌ପିଜି ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଜାହାଜରେ ପରିବହନ କରିଛନ୍ତି। ତେବେ ବିଦେଶରେ ଲୋକଙ୍କ ଉଚ୍ଚମାନର ଜୀବନଶୈଳୀ ଦେଖି ସେ ସମାଜସେବା ଓ ନିଜ ଅଞ୍ଚଳର ଲୋକଙ୍କ ଉନ୍ନତି ପାଇଁ ସ୍ବପ୍ନ ଦେଖିଥିଲେ। ଉଚ୍ଚ ବେତନର ଚାକିରିକୁ ତ୍ୟାଗ କରି ୨୦୧୮ରେ ସେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। ରାଜନୀତିରେ ନବାଗତ ହୋଇଥିଲେ ହେଁ ୨୦୧୯ରେ ସେ ବୀରମହାରାଜପୁର ସଂରକ୍ଷିତ ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ୨୦୨୪ ନିର୍ବାଚନରେ ସେ ଭାଜପା ପ୍ରାର୍ଥୀ ଭାବେ ବିଜୟୀ ହୋଇ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲା ଇତିହାସରେ ଭାଜପା ପ୍ରଥମ ଥର ବିଧାନସଭା ନିର୍ବାଚନରେ ଖାତା ଖୋଲିବାରେ ସକ୍ଷମ ହୋଇଛି।

ଲୋକଙ୍କ ସେବା କରିବା ତାଙ୍କ ଲକ୍ଷ୍ୟ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀ ତାଙ୍କୁ ଅନୁପ୍ରାଣିତ କରିଥିଲା। ବୀରମହାରାଜପୁର ନିର୍ବାଚନମଣ୍ଡଳୀର ବିକାଶ କରିବା ପାଇଁ ସେ ରାଜନୀତିରେ ପ୍ରବେଶ କରିଥିଲେ। ଭାଜପା ତାଙ୍କୁ ସୁଯୋଗ ଦେଲା। ଲୋକଙ୍କ ଭଲପାଇବା ଓ ଆଶୀର୍ବାଦ ତାଙ୍କ ପାଇଁ ସଫଳତା ଆଣିଦେଇଛି। ଅଞ୍ଚଳର ଯୁବତୀଯୁବକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି, ଶିକ୍ଷା ଓ ସ୍ବାସ୍ଥ୍ୟସେବାର ଉନ୍ନତି ଏବଂ କୃଷିର ବିକାଶ ପାଇଁ ସେ ଅଗ୍ରାଧିକାର ଦେବେ। ଏଠାରୁ ଏକାଧିକ ଥର ବିଧାୟକ ନିର୍ବାଚିତ ହୋଇଥିବା ପଦ୍ମନାଭ ବେହେରା ତତ୍କାଳୀନ ସରକାରରେ ମନ୍ତ୍ରୀ ଥିଲେ ।
କିନ୍ତୁ ଏହି ନିର୍ବାଚନମଣ୍ଡଳୀରେ ଶିଳ୍ପ ନାହିଁ କି ଜଳସେଚନର ବ୍ୟବସ୍ଥା ହୋଇପାରିନି। ରାଜ୍ୟର ଭାଜପା ସରକାର ଟେକ୍ସଟାଇଲ ମିଲ୍‌, ଶୀତଳଭଣ୍ଡାର ଓ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଉଦ୍ୟମ ଚଳାଇଛନ୍ତି ବୋଲି ଜଗଦଲା କହିଛନ୍ତି।
ରିପୋର୍ଟ-ମୃତ୍ୟୁଞ୍ଜୟ ଶତପଥୀ

Share