ଭୁବନେଶ୍ୱର ୧୫।୯(ବ୍ୟୁରୋ):ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ସଂକ୍ରମିତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ସମୀରଙ୍କ ଆରୋଗ୍ୟ କାମନା କରିଛନ୍ତି। ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି , ଭାଜପା ରାଜ୍ୟ ସଭାପତି କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ସଙ୍ଗେ କଥା ହୋଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ଆରୋଗ୍ୟ କାମନା କରିଛନ୍ତି। ଅନ୍ୟପଟେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଆହୁରି ବହୁ ନେତା ତାଙ୍କ ଆରୋଗ୍ୟ କାମନା କରିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ପ୍ରଦୀପ ମହାରଥୀ, ବ୍ରଜକିଶୋର ପ୍ରଧାନଙ୍କ ସହ ମଧ୍ୟ ଟେଲିଫୋନ ଯୋଗେ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।