ଭୋପାଳ,୨୨।୭: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ମଧ୍ୟପ୍ରଦେଶର ମାଣ୍ଡଲାର ଏମ୍ପି ଫଗାନ ସିଂ କୁଲାସ୍ତେଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଗୋଟିଏ ମକାର ମୂଲ୍ୟ ୧୫ ଟଙ୍କା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏତେ ଦାମ୍, ଏଠାରେ ମକା ମାଗଣାରେ ମିଳେ, ଏତେ ମହଙ୍ଗାରେ ବିକୁଛ ବୋଲି ମନ୍ତ୍ରୀ ବିକ୍ରେତାଙ୍କୁ ପ୍ରଶ୍ନ କରିଥିଲେ। ଲୋକମାନେ ମନ୍ତ୍ରୀଙ୍କ ଏଭଳି ପ୍ରଶ୍ନକୁ ମୁଦ୍ରାସ୍ଫୀତିର ଅନୁଭବ ବୋଲି ବର୍ଣ୍ଣନା କରିଛନ୍ତି। ସାଧାରଣ ବ୍ୟବହାରକାରୀଙ୍କ ବ୍ୟତୀତ ଅନେକ କଂଗ୍ରେସ ନେତାମାନେ ମଧ୍ୟ ଏହି ଭିଡିଓ ଶେୟାର କରି ମୁଦ୍ରାସ୍ଫୀତିକୁ ନେଇ ମନ୍ତ୍ରୀଙ୍କୁ ଘେରିଛନ୍ତି।
ସୂଚନାଯୋଗ୍ୟ,କେନ୍ଦ୍ର ମନ୍ତ୍ରୀ କୁଲାସ୍ତେମାଣ୍ଡଲା ଯାଉଥିଲେ। ଏହି ସମୟରେ ସେ ରାସ୍ତା କଡ଼ରେ ଏକ ମକା ଦୋକାନ ଦେଖିବା ପରେ ମକା କିଣିବାକୁ ଅଟକି ଥିଲେ। ସେ ଦୋକାନୀକୁ ତିନୋଟି ମକା ପୋଡିବାକୁ କହିଲେ। ମକା ପ୍ରସ୍ତୁତ କରି ମନ୍ତ୍ରୀଙ୍କୁ ତାର ମୂଲ୍ୟ ଜଣାଇଥିଲେ ବିକ୍ରେତା। ଗୋଟିଏ ମକାର ମୂଲ୍ୟ ୧୫ ଟଙ୍କା ଶୁଣି ମନ୍ତ୍ରୀ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଥିଲେ, ତୁମେ ବହୁତ ଟଙ୍କା ନେଉଛ। କାର୍ ଦେଖି ରେଟ୍ ବଢାଇ ଦେଉଛ କି। ଏଠାରେ ମାଗଣାରେ ମକା ମିଳେ। ଏହା ଶୁଣି ବିକ୍ରେତା ଜଣଙ୍କ ହସିବାକୁ ଲାଗିଥିଲେ। ଶେଷରେ ଟଙ୍କା ଦେଇ ମନ୍ତ୍ରୀ ସେଠାରୁ ପଳାଇଥିଲେ।