ଆଉ ଫେରିବ ନାହିଁ ‘କଫି ଉଇଥ୍‌ କରନ୍‌’

ବମ୍ବେ: ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ଟକ୍‌ ଶୋ’ ‘କଫି ଉଇଥ୍‌ କରନ୍‌’ ଦର୍ଶକଙ୍କ ପ୍ରିୟ ଶୋ’ ମଧ୍ୟରୁ ଅନ୍ୟତମ। ହେଲେ ଏହା ଆଉ ଟେଲି ପରଦାରେ ଦେଖିବାକୁ ମିଳିବ ନାହିଁ। ନିକଟରେ ଏହାର ସପ୍ତମ ସିଜନ୍‌ ଆସିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ତା’ ଉପରେ ବିରାମ ଲାଗିଛି। କରନ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।

କରନ୍‌ଙ୍କ ଶୋ’ ‘କଫି ଉଇଥ୍‌ କରନ୍‌’ରେ ବଲିଉଡ୍‌ର ସେଲିବ୍ରିଟିମାନେ ଅତିଥି ଭାବେ ଯୋଗ ଦେଉଥିଲେ। ସେମାନେ ନିଜର ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକ କଥା ସମସ୍ତଙ୍କ ସହ ବାଣ୍ଟୁଥିଲେ। ପୂର୍ବରୁ ଶୋ’ର ୬ ସିଜନ୍‌ ପ୍ରସାରିତ ହୋଇଛି। ଦର୍ଶକ ଏହାକୁ ପସନ୍ଦ କରିବା ସହ ଭରପୂର ଭଲପାଇବା ଦେଇଛନ୍ତି। ହେଲେ ଆଉ ଏହାର ସପ୍ତମ ସିଜନ୍‌ ଆସିବ ନାହିଁ ବୋଲି କରନ୍‌ ବୁଧବାର ସକାଳେ ଆଧିକାରୀକ ବିବୃତ୍ତି ଜାରି କରି କହିଛନ୍ତି।

ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି କରନ୍‌ ଲେଖିଛନ୍ତି, ‘କଫି ଉଇଥ୍‌ କରନ୍‌ର ୬ଟି ଯାକ ସିଜନ୍‌ ଆପଣଙ୍କ ସହ ମୋ’ ଜୀବନର ଅଂଶ ହୋଇ ରହିଛି। ହେଲେ ଏବେ ଏହା ଆଉ ଫେରିବ ନାହିଁ।’ ତେବେ ପୋଷ୍ଟ ଶେୟାର ବେଳେ କରନ୍‌ କ୍ୟାପ୍‌ଶନରେ ‘ଜରୁରୀ ସୂଚନା’ ବୋଲି ଲେଖିଛନ୍ତି। ନିର୍ଦ୍ଦେଶକ ଏନେଇ ଘୋଷଣା କରିବା ମାତ୍ରେ ପ୍ରଶଂସକ ନିରାଶ ହୋଇଛନ୍ତି।

Share