Categories: ବାଣିଜ୍ୟ

ଆର୍‌ସିବି ଟ୍ରେନିଂ କ୍ୟାମ୍ପ୍‌ରେ କୋହଲି

ବେଙ୍ଗାଲୁରୁ,୧୯ା୩(ପି.ଟି.): ରବିବାର ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ସୁପରଷ୍ଟାର ବିରାଟ କୋହଲି ସୋମବାର ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ଟ୍ରେନିଂ କ୍ୟାମ୍ପ୍‌ରେ ଯୋଗଦେଇଛନ୍ତି। ସୋମବାର କୋହଲି ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅଭ୍ୟାସ କରୁଥିବାର ନଜର ଆସିଥିଲେ। ଆରସିବି ଅଧିନାୟକ ଫାଫ୍‌ ଡୁ ପ୍ଲେସିଙ୍କ ସହିତ ଅଭ୍ୟାସ କରିବା ସହ ଉଭୟ ଖେଳାଳି କିଛି ସମୟ ଧରି ଆଲୋଚନା ମଧ୍ୟ କରିଥିଲେ। ଆସନ୍ତା ୨୨ ତାରିଖରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରୁ ନିଜର ଅଭିଯାନ ଆରମ୍ଭ କରିବ ଆରସିବି। ଟୁର୍ନାମେଣ୍ଟକୁ ୪ ଦିନ ବାକି ରହିଥିବା ବେଳେ କୋହଲି ଅଭ୍ୟାସ ଆରମ୍ଭ କରିଛନ୍ତି। ଭାରତୀୟ ଟି୨୦ ବିଶ୍ୱକପ ଦଳରେ ସାମିଲକୁ ନେଇ କୋହଲିଙ୍କ ପାଇଁ ଆଇପିଏଲ୍‌ର ଗୁରୁତ୍ୱ ବଢିଯାଇଛି। ୩୫ ବର୍ଷୀୟ କୋହଲି ୨୦୨୨ ପରଠାରୁ ଅନ୍ତର୍ଜାତୀୟ ଟି୨୦ ଖେଳି ନ ଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସମାନ ସିରିଜ୍‌ରେ ଅଧିନାୟକ ରୋହିତ ଶର୍ମା ମଧ୍ୟ ପ୍ରତ୍ୟାବର୍ତ୍ତନ କରିଥିଲେ। ବିଗତ ସିଜନରେ କୋହଲି ୬୩୯ ରନ୍‌ ସ୍କୋର କରିଥିଲେ। ବ୍ୟକ୍ତିଗତ ଭାବେ କୋହଲି ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଆରସିବି ଥରେ ହେଲେ ଆଇପିଏଲ୍‌ ଟ୍ରଫି ହାସଲ କରିବାରେ ସମର୍ଥ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ, ପୁଅ ଅକାୟର ଜନ୍ମ ପାଇଁ କୋହଲି ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରୁ ଓହରି ଯାଇଥିଲେ।

Share