Categories: ଖେଳ

କୋହଲି, ଅକ୍ଷର ସମ୍ମାନ ରଖିଲେ, ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ ୧୭୭

ବାର୍ବାଡୋସ, ୨୯।୬: ଟି୨୦ କ୍ରିକେଟ ବିଶ୍ୱକପର ଫାଇନାଲରେ ନିଜର ଦମ୍‌ ଦେଖାଇଛନ୍ତି ବିରାଟ କୋହଲି। ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସଫଳ ମୁକାବିଲା କରି ସେ ହାସଲ କରିଛନ୍ତି ଅର୍ଦ୍ଧଶତକ। ବିରାଟ ଓ ଅକ୍ଷର ପଟେଲଙ୍କ ପ୍ରଭାବୀ ବ୍ୟାଟିଂ ବଳରେ ଭାରତ ଶନିବାର ଅନୁଷ୍ଠିତ ମ୍ୟାଚରେ ୨୦ ଓଭରରେ ୭ ଉଇକେଟ ହରାଇ ୧୭୬ ରନ ସଂଗ୍ରହ କରିଛି।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା। ପ୍ରଥମ ଓଭରରେ ଭାରତର ଆରମ୍ଭ ଭଲ ହୋଇଥିଲେ ହେଁ ଦ୍ୱିତୀୟ ଓଭରରେ ୨ ବଲ୍‌ ବ୍ୟବଧାନରେ ୨ଟି ଉଇକେଟ ନେଇ ଶକ୍ତ ଝଟ୍‌କା ଦେଇଥିଲେ ତାରକା ସ୍ପିନର କେଶବ ମହାରାଜ। ସେ ପ୍ରଥମ ଓଭରର ୪ର୍ଥ ବଲ୍‌ରେ ରୋହିତ (୯ ରନ) ଓ ୬ଷ୍ଠ ବଲ୍‌ରେ ରିଷଭ ପନ୍ତ(୦)ଙ୍କୁ ଆଉଟ କରିଥିଲେ।

ଟି୨୦ ସ୍ପେଶାଲିଷ୍ଟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ମାତ୍ର ୩ ରନକରି ଆଉଟ ହେବା ଭାରତକୁ ବ୍ୟାକ୍‌ଫୁଟ୍‌ରେ ରଖିଥିଲା। ମାତ୍ର ୩୪ ରନରେ ଟପ୍‌ ଅର୍ଡରର ୩ ବ୍ୟାଟର ଆଉଟ ହେବାରୁ କୋହଲିଙ୍କ କାନ୍ଧକୁ ଆସିଥିଲା ବିରାଟ ଦାହିତ୍ୱ। ନିରାଶ କରି ନ ଥିଲେ କିଙ୍ଗ୍‌ କୋହଲି। ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ନ ପାରି ସମାଲୋଚିତ ହୋଇ ଆସୁଥିବା କୋହଲି ଠିକ୍‌ ସମୟରେ ଖେଳିଥିଲେ ସ୍ମରଣୀୟ ଇନିଂସ। ସେ ଓ ଅକ୍ଷର ପଟେଲ ୪ର୍ଥ ଉଇକେଟରେ ୭୨ ରନ ଯୋଗକରି ଇନିଂସ ସମ୍ଭାଳିଥିଲେ।

୩୧ ବଲ୍‌ରୁ ୧ ଚୌକା ଓ ୪ ଛକା ସହାୟତାରେ ୪୭ ରନକରି ଅକ୍ଷର ଦୁର୍ଭାଗ୍ୟଜନକଭାବେ ରନ୍‌ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ପରିସ୍ଥିତି ଦୃଷ୍ଟିରୁ ଇନିଂସ ଆରମ୍ଭରେ ଧିମା ରହିଥିବା କୋହଲି ଶେଷଭାଗରେ ବିସ୍ଫୋରକ ବ୍ୟାଟିଂ କରି ଭାରତ ସ୍କୋରକୁ ୧୫୦ ଅତିକ୍ରମ କରାଇଥିଲେ। ୬୯ ବଲ୍‌ରୁ ୬ ଚୌକା ଓ ୨ ଛକା ସହାୟତାରେ ସେ ୭୬ ରନ ସ୍କୋର କରି ଭାରତର ସମ୍ମାନ ରଖିଥିଲେ। ଚଳିତ ଟୁର୍ନାମେଣ୍ଟରେ ଏହାଥିଲା ତାଙ୍କର ପ୍ରଥମ ଅର୍ଦ୍ଧଶତକ।

ଶିବମ୍‌ ଦୁବେ ଛୋଟ ଇନିଂସ ଖେଳିଥିଲେ ହେଁ ଭାରତ ପାଇଁ ତାହା ବେଶ୍‌ ଉପାଦେୟ ହୋଇଥିଲା। ସେ ୧୬ ବଲ୍‌ରୁ ୨୭ (୩ ଚୌକା, ୧ ଛକା) ରନ ସ୍କୋର କରିଥିଲେ। ଶେଷ ଓଭରରେ ଏନରିଚ୍‌ ନର୍ଜେ ଦୁବେ ଏବଂ ରବୀନ୍ଦ୍ର ଜାଡେଜା (୨)ଙ୍କ ଉଇକେଟ ନେବାରୁ ଭାରତ ସ୍କୋର ୧୭୬ ରନରେ ସୀମିତ ରହି ଯାଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ଓ ଏନରିଚ୍‌ ନର୍ଜେ ୨ଟି ଲେଖାଏ ଏବଂ ମାର୍କୋ ଜାନସେନ ଓ କାଗିଶୋ ରାବାଡ଼ା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share