Categories: ଖେଳ

ଶତକ ନିକଟତର କୋହଲି

ପୋର୍ଟ ଅଫ୍‌ ସ୍ପେନ୍‌, ୨୧ା୭: ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମ୍ୟାଚ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏଥିରେ ଘରୋଇ ଦଳ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନ ଖେଲ ଶେଷ ହେବା ବେଳକୁ ଭାରତୀୟ ଦଳ ୪ ଉଇକେଟ୍‌ ହରାଇ୨୮୮ ରନ୍‌ ସଂଗ୍ରହ କରିଛି। ବିରାଟ କୋହଲି ୮୭ ଏବଂ ରବିନ୍ଦ୍ର ଜାଡେଜା ୩୬ ରନ୍‌ରେ ଅପରାଜିତ ଅଛନ୍ତି।
ରୋହିତ ଶର୍ମା (୮୦ ରନ) ଓ ଯଶସ୍ବୀ ଜୟସ୍ବାଲ (୫୭ ରନ) ଭାରତକୁ ଭଲ ଆରମ୍ଭ ଦେଇଥିଲେ। ଉଭୟେ ଓପନିଂ ପାର୍ଟନରଶିପ୍‌ରେ ୧୩୯ ରନ ଯୋଗ କରିଥିଲେ। ଜୟସ୍ବାଲଙ୍କୁ ଜାସନ ହୋଲ୍ଡର କିର୍କ ମାକେଞ୍ଜିଙ୍କ ଦ୍ୱାରା କ୍ୟାଚ ଆଉଟ କରିଦେବାରୁ ଏହି ପାର୍ଟନରଶିପ୍‌ ଭାଙ୍ଗିଯାଇଥିଲା। ଗୋଟିଏ ସିରିଜରେ ଓପନିଂ ପାର୍ଟନରଶିପ୍‌ରେ କ୍ରମାଗତ ଶତକୀୟ ଭାଗୀଦାରି କରିବାରେ ରୋହିତ ଓ ଜୟସ୍ବାଲ ଦ୍ୱିତୀୟ ଭାରତୀୟ ଯୋଡ଼ି ବିବେଚିତ ହୋଇଛନ୍ତି। ପୂର୍ବରୁ ୧୯୯୯ରେ ଏସ୍‌. ରମେଶ ଓ ଦେବାଙ୍ଗ ଗାନ୍ଧୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ। ପରେ ଭାରତର କେତୋଟି ଉଇକେଟ ଶୀଘ୍ର ପତନ ଘଟିଥିଲା।
ଜୟସ୍ବାଲଙ୍କ ପରେ ରୋହିତଙ୍କ ସହ ଯୋଗ ଦେଇଥିବା ଶୁବମନ ଗିଲ୍‌ ମାତ୍ର ୧୦ ରନ କରିଥିବାବେଳେ କେମର ରୋଚ୍‌ଙ୍କ ବଲ୍‌ରେ ଜୋଶୁଆ ଡା’ସିଲ୍‌ଭାଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ। ରୋହିତ ଶର୍ମାଙ୍କୁ ଜୋମେଲ ଓ୍ବାରିକାନ ବୋଲ୍ଡ କରିଦେଇଥିଲେ। ଚା’ପାନ ବିରତି ବେଳକୁ ଭାରତ ଅଜିଙ୍କ୍ୟ ରାହାନେଙ୍କ ଉଇକେଟ ହରାଇଥିଲା। ରାହାନେ ୩୬ଟି ବଲ୍‌ ସାମ୍ନା କରି ମାତ୍ର ୮ ରନ କରିଥିଲେ।
ଭାରତ ତରଫରୁ ବେଙ୍ଗଲ ପେସ୍‌ ବୋଲର ମୁକେଶ କୁମାର ତାଙ୍କ ଟେଷ୍ଟ ପଦାର୍ପଣ କରିଛନ୍ତି। ତାଙ୍କୁ ଆଘାତପ୍ରାପ୍ତ ଶାର୍ଦ୍ଦୂଳ ଠାକୁରଙ୍କ ସ୍ଥାନରେ ସୁଯୋଗ ମିଳିଛି। ଅନ୍ୟପକ୍ଷରେ ଓ୍ବେଷ୍ଟଇଣ୍ଡିଜ ରେମନ ରିଫରଙ୍କୁ ଦଳରୁ ବାଦ୍‌ ଦେଇଛି। ତାଙ୍କ ସ୍ଥାନରେ କିର୍କ ମ୍ୟାକେଞ୍ଜି ଟେଷ୍ଟ ପଦାର୍ପଣ କରିଛନ୍ତି। ଡୋମିନିକାଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଏକ ଇନିଂସ ଓ ୧୪୧ ରନରେ ବିଜୟ ହାସଲ କରି ଭାରତ ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି।

Share