Categories: ଖେଳ

ଦୁଇ ଥର ଆଇସିସି ଟ୍ରଫି ଫାଇନାଲରେ ପହଞ୍ଚିଥିଲୁ, ତଥାପି ବିଫଳ ଅଧିନାୟକ କୁହାଯାଇଥିଲା: କୋହଲି

ନୂଆଦିଲ୍ଲୀ,୨୫।୨: ନିକଟରେ ଟି୨୦ ବିଶ୍ୱକପ୍‌ ୨୦୨୩ ଫାଇନାଲରେ ପହଞ୍ଚିବାର ସୁଯୋଗ ହାତଛଡ଼ା କରିଛି ଭାରତୀୟ ମହିଳା ଟିମ୍‌। ଫଳରେ ଦଳ ବିଶ୍ୱକପ୍‌ ଜିତିବା ସ୍ବପ୍ନ ଭାଙ୍ଗିଯାଇଛି। ତେବେ ମହିଳା ଦଳ ଭଳି ପୁରୁଷ ଟିମ୍‌ ମଧ୍ୟ ୧୦ ବର୍ଷ ହେଲାଣି ଆଇସିସି ଟ୍ରଫିର ଅପେକ୍ଷାରେ ରହିଛି। ଏସବୁ ମଧ୍ୟରେ ଦୀର୍ଘଦିନ ଧରି ଭାରତୀୟ ଟିମ୍‌ର ନେତୃତ୍ୱ ନେଇଥିବା ବିରାଟ କୋହଲି ପୁଣି ଥରେ ଟ୍ରଫିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

ଆଇପିଏଲ୍‌ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଦ୍ୱାରା ପୋଡକାଷ୍ଟ ସିରିଜ ରିଲିଜ କରାଯାଇଛି। ଏଥିରେ କୋହଲିଙ୍କୁ ଆଇସିସି ଟ୍ରଫି ନ ଜିତିବାର କ୍ଷୋଭକୁ ନେଇ ପ୍ରଶ୍ନ କରାଯାଇଥିଲା। ଜବାବରେ କୋହଲି କହିଛନ୍ତି, ‘ଜଣେ ସର୍ବଦା ଟୁର୍ନାମେଣ୍ଟ ଜିତିବା ଲାଗି ଖେଳିଥାଏ। ମୁଁ ଚାମ୍ପିଅନ୍ସ ଟ୍ରଫି ୨୦୧୭, ବିଶ୍ୱକପ୍‌ ୨୦୧୯, ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ୨୦୨୧, ଟି୨୦ ବିଶ୍ୱକପ୍‌ ୨୦୨୨ରେ ଅଧିନାୟକ ଥିଲି। ଆମେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ, ବିଶ୍ୱକପ୍‌ ସେମିଫାଇନାଲ, ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ପହଞ୍ଚିଥିଲୁ। ଏହା ପରେ ମଧ୍ୟ ମୋତେ ବିଫଳ ଅଧିନାୟକ କୁହାଯାଉଥିଲା।’

ଏହାଛଡ଼ା କୋହଲି କହିଛନ୍ତି ଯେ ଅଧିନାୟକ ପଦ ଲାଗି ମହେନ୍ଦ୍ର ସିଂହ ଧୋନୀ ହିଁ ତାଙ୍କୁ ବାଛିଥିିଲେ। ଫିଲ୍ଡିଂ ବେଳେ ଧୋନୀଙ୍କ ସହ ସେ କଥା ହେଉଥିଲେ। ବ୍ୟାଟିଂରେ ବି ଭଲ ପ୍ରଦର୍ଶନ କରୁଥିଲେ। ଏଥିରୁ ତାଙ୍କର ଯୋଗ୍ୟତା ଆକଳନ କରି ଧୋନୀ ତାଙ୍କୁ ଉତ୍ତରାଧିକାରୀ ଭାବେ ବାଛିଥିଲେ ବୋଲି ସେ କହିଛନ୍ତି।

Share