Categories: ଖେଳ

ସଚିନଙ୍କ ରେକର୍ଡର ସମକକ୍ଷ କୋହଲି

ଗୁଆହାଟୀ,୧୧ା୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଶତକ ହାସଲ କରିବା ସହିତ ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି ବିରାଟ କୋହଲି। ୨୦୨୨ ବର୍ଷ ଯେଉଁ ଫର୍ମରେ ଶେଷ କରିଥିଲେ ୨୦୨୩ ବର୍ଷକୁ ମଧ୍ୟ ସମାନ ଫର୍ମରେ ସ୍ବାଗତ କରିଛନ୍ତି କୋହଲି। ଦିନିକିଆରେ ୪୫ ତମ ଶତକ ହାସଲ କରିଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟରେ ୭୩ ତମ ଶତକ ହାସଲ କରିଥିଲେ କୋହଲି। ଏହା ସହିତ ସଚିନ୍‌ ତେନ୍ଦୁଲକରଙ୍କ ଅନ୍ୟ ଏକ ରେକର୍ଡର ସମକକ୍ଷ ହୋଇଛନ୍ତି କୋହଲି। ଘରୋଇ ମାଟିରେ ସଚିନ୍‌ ତେନ୍ଦୁଲକର ୨୦ ଶତକ ହାସଲ କରିଥିବା ବେଳେ କୋହଲି ତାଙ୍କର ସମକକ୍ଷ ହୋଇଛନ୍ତି। ଭାରତରେ ୧୬୪ଟି ଦିନିକିଆ ଖେଳିଥିବା ସଚିନ୍‌ ୧୬୦ ଇନିଂସରୁ ୨୦ ଶତକ ମାରିଥିବା ବେଳେ ୪୮.୧୧ ଆଭରେଜ ସହିତ ୬୯୭୬ ରନ୍‌ କରିଛନ୍ତି। ଅନ୍ୟ ପକ୍ଷରେ ବିରାଟ କୋହଲି ୧୦୨ ମ୍ୟାଚରୁ ୯୯ ଇନିଂସରେ ହାସଲ କରିଛନ୍ତି ୨୦ ତମ ଶତକ । ସଚିନ୍‌ଙ୍କ ଠାରୁ ୬୨ ଇନିଂସ କମ ଖେଳିଥିବା କୋହଲି ଏହି ମାଇଲଖୁଣ୍ଟର ସମକକ୍ଷ ହୋଇଛନ୍ତି। ହାସିମ ଆମଲା ୧୪ ଶତକ ସହିତ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ବେଳେ ରିକି ପଣ୍ଟିଂ(୧୩) ଓ ରସ୍‌ ଟେଲର(୧୨) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ଏହା ସହିତ ମଙ୍ଗଳବାରର ଶତକକୁ ମିଶାଇ କୋହଲି ଶ୍ରୀଲଙ୍କା ବିପକ୍ଷରେ ନିଜର ନବମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ସଚିନ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଏବଂ କୋହଲି ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ସମାନ ସଂଖ୍ୟକ ଶତକ ହାସଲ କରିଥିଲେ।

Share