Categories: ଖେଳ

ଛୁଟି ମାଗି ନାହାନ୍ତି କୋହଲି

ନୂଆଦିଲ୍ଲୀ, ୧୪ା୧୨- ଆସନ୍ତା ଦକ୍ଷିଣ ଆଫ୍ରିକା ଟୁର୍‌ ସମୟରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ନ ଖେଳି ଟେଷ୍ଟ ଅଧିନାୟକ ବିରାଟ କୋହଲି ଛୁଟିରେ ଯାଇପାରନ୍ତି। ଏଭଳି ମିଡିଆ ରିପୋର୍ଟକୁ ଖଣ୍ଡନ କରିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ। କୋହଲି ଏପର୍ଯ୍ୟନ୍ତ ଛୁଟି ପାଇଁ ଅନୁରୋଧ କରି ନ ଥିବା ସେ କହିଛନ୍ତି।

କୋହଲିଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏହା ଡିସେମ୍ବର ୨୬ରେ ସେଞ୍ଚୁରିଅନରେ ଆରମ୍ଭ ହୋଇ ଜାନୁୟାରୀ ୧୫ରେ କେପ୍‌ ଟାଉନ୍‌ଠାରେ ତୃତୀୟ ଓ ଫାଇନାଲ ଟେଷ୍ଟ ସହ ସିରିଜ ଶେଷ ହେବ। ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଜାନୁୟାରୀ ୧୯ରୁ ଆରମ୍ଭ ହେବ। କିଛି ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଟେଷ୍ଟ ସିରିଜ ପରେ କୋହଲି ନିଜ ପରିବାର ସହ ଛୁଟି କଟାଇବାକୁ ଚାହୁଁଛନ୍ତି।

ହେଲେ ଦିନିକିଆ ସିରିଜରୁ ଓହରିବା ଲାଗି ସେ ଏପର୍ଯ୍ୟନ୍ତ ଅନୁଷ୍ଠାନିକ ଭାବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କିମ୍ବା ସମ୍ପାଦକ ଜୟ ଶାହାଙ୍କ ସହ ଯୋଗାଯୋଗ କରି ନାହାନ୍ତି ବୋଲି ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି। କାର୍ଯ୍ୟସୂଚୀ ଅନୁସାରେ ତିନୋଟିଯାକ ଅନ୍ତର୍ଜାତୀୟ ଦିନିକିଆ ଜାନୁୟାରୀ ୧୯, ୨୧ ଓ ୨୩ରେ ଖେଳାଯିବ। କର୍ମକର୍ତ୍ତା ଜଣକ କହିଛନ୍ତି, ବାୟୋବବଲ କଟକଣା ଯୋଗୁ ଖେଳାଳିମାନଙ୍କ ସହ ସେମାନଙ୍କ ପରିବାର ସମାନ ଚାର୍ଟର ବିମାନରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବେ। କୋହଲି ମଧ୍ୟ ତାଙ୍କ ପରିବାରକୁ ନେଇ ଯିବେ। ଟେଷ୍ଟ ସିରିଜ ପରେ ବବଲଜନିତ ମାନସିକ ବିଶାଦ ପାଇଁ ଛୁଟିନେବାକୁ ଚାହୁଁଥିଲେ ଭାରତୀୟ ଅଧିନାୟକ ଏ ବିଷୟରେ ବୋର୍ଡ ଚେୟାରମ୍ୟାନ, ସିଲେକ୍ଟର କିମ୍ବା ସମ୍ପାଦକ ଶାହାଙ୍କୁ ଅବଗତ କରାଇଥାନ୍ତେ ନିଶ୍ଚୟ।

Share