Categories: ଖେଳ

ଗଣମାଧ୍ୟମ ସହ କଥା ହେଉନାହାନ୍ତି କୋହଲି

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ଗସ୍ତ କରିବା ପୂର୍ବରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦଳର ଅଧିନାୟକ ପଦବୀରୁ ହଟାଯିବା ପ୍ରସଙ୍ଗରେ ନିଜର ମତ ପ୍ରକାଶ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ସେଠାରେ ଭାରତୀୟ ଦଳ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି, କିନ୍ତୁ କୋହଲି ଖବରଦାତା ସମ୍ମିଳନୀ କରିବାକୁ ଥରେ ଆସିନାହାନ୍ତି। କୋହଲି ଗଣମାଧ୍ୟମ ସହିତ କଥା ବି ହୋଇନାହାନ୍ତି। ଯେତେବେଳେ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାଭିଡ କ୍ରମାଗତ ଭାବରେ ପ୍ରେସ୍‌ ମିଟ୍‌ରେ ଯୋଗ ଦେଉଛନ୍ତି।

ବିରାଟ କୋହଲିଙ୍କ ପିଲାଦିନର ପ୍ରଶିକ୍ଷକ ରାଜକୁମାର ଶର୍ମା ଏନେଇ ପ୍ରଶ୍ନ ଉଠାଇଛନ୍ତି। ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କୁ ଗଣମାଧ୍ୟମରୁ କାହିଁକି ଦୂରେଇ ରଖାଯାଉଛି ତାହା ବୁଝିବା କଷ୍ଟକର ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଏହାର କାରଣ ବୁଝାପଡୁ ନାହିଁ। ମୁଁ ଭାବୁଛି ଗଣମାଧ୍ୟମକୁ କିଏ ସମ୍ବୋଧିତ କରିବ କିମ୍ବା ମିଡିଆ ମ୍ୟାନେଜରଙ୍କୁ ଅଧିକ କ୍ଷମତା ଦିଆଯାଇପାରେ ସେନେଇ ବିସିସିଆଇ ହୁଏତ କିଛି ନୂତନ ନିୟମ କରିଥାଇପାରେ, ତେବେ ସେ ଖବରଦାତା ସମ୍ମିଳନୀକୁ ଯିବେ କି ନାହିଁ ତାହା ସ୍ଥିର କରିବେ।

ସେ ଆହୁରି ମଧ୍ୟ କହିଛନ୍ତି, ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଏବଂ ପରେ ଟେଷ୍ଟ ଦଳର ଅଧିନାୟକଙ୍କୁ ଦେଖାଇ ନ ଥିବାର କିଛି କାରଣ ଥାଇପାରେ। ଏପରି ହଠାତ୍‌ ପରିବର୍ତ୍ତନ କାହିଁକି ହୋଇଛି କିମ୍ବା ପ୍ରକୃତରେ କୌଣସି ପରିବର୍ତ୍ତନ ହୋଇଛି ନା ଏହା ଜାଣିବା କଷ୍ଟକର।

Share