Categories: ଖେଳ

କୋହଲି ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୮ା୧୧:ଷ୍ଟାର ବ୍ୟାଟର ବିରାଟ କୋହଲି ସୋମବାର ଅକ୍ଟୋବର ମାସ ପାଇଁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆରେ ଚାଲିଥିବା ଟି୨୦ ବିଶ୍ୱକପ୍‌ରେ ତାଙ୍କର ପ୍ରଭାବୀ ପ୍ରଦର୍ଶନ ଯୋଗୁ ଭାରତ ସେମିଫାଇନାଲରେ ପ୍ରବେଶ କରିପାରିଛି। ମହିଳା ବିଭାଗରେ ପାକିସ୍ତାନର ଭେଟେରାନ ଅଲ୍‌ରାଉଣ୍ଡର ନିଦା ଦାର୍‌ ପ୍ଲେୟର ଅଫ୍‌ ଦି ମନ୍ଥ୍‌ ସାବ୍ୟସ୍ତ ହୋଇଛନ୍ତି। ଏସିଆ କପ୍‌ ଅଭିଯାନରେ ତାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଥିଲା। ଦାର୍‌ ପୁରସ୍କାର ଦୌଡ଼ରେ ଜେମିମା ରୋଡ୍ରିଗୁଏଜ୍‌ ଓ ଦୀପ୍ତି ଶର୍ମାଙ୍କୁ ପଛରେ ପକାଇ ଦେଇଥିଲେ। ଭାରତର ଏହି ଦୁଇ ଖେଳାଳିଙ୍କର ମଧ୍ୟ ଏସିଆ କପ୍‌ରେ ଭଲ ପ୍ରଦର୍ଶନ ରହିଥିଲା। ବିଶ୍ୱସ୍ତରରେ ମିଡିଆ ପ୍ରତିନିଧି, ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ପାଇଥିବା ଖେଳାଳି, ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଓ ପଞ୍ଜୀକୃତ ଖେଳପ୍ରେମୀମାନଙ୍କ ଭୋଟ୍‌ ଜରିଆରେ ବିଜେତାଙ୍କୁ ବଛାଯାଇଥିଲା। ପ୍ରଥମଥର ପ୍ଲେୟର ଅଫ୍‌ ଦି ମନ୍ଥ ବିବେଚିତ ହୋଇଥିବା କୋହଲି ଅକ୍ଟୋବରରେ ୨୦୫ ରନ୍‌ ସ୍କୋର କରିଛନ୍ତି। ସିଡ୍‌ନୀଠାରେ ନେଦରଲାଣ୍ଡ୍ସ ବିପକ୍ଷରେ ସେ ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ। ଏମ୍‌ସିଜିଠାରେ ପାକିସ୍ତାନ ବିପକ୍ଷ ବିଜୟ ମ୍ୟାଚ୍‌ରେ ସେ ଏକ ସ୍ମରଣୀୟ ଇନିଂସ ଖେଳିଥିଲେ। ପୁରୁଷ ପ୍ଲେୟର ଅଫ୍‌ ଦି ମନ୍ଥ ପୁରସ୍କାର ଦୌଡ଼ରେ ଅନ୍ୟ ଯେଉଁ ଖେଳାଳି ଥିଲେ ସେମାନେ ହେଲେ ଦକ୍ଷିଣ ଆଫ୍ରିକୀୟ ଫିନିଶର ଡେଭିଡ୍‌ ମିଲର ଓ ଫର୍ମରେ ରହିଥିବା ଜିମ୍ବାଓ୍ବେର ସିକନ୍ଦର ରାଜା। ଟି୨୦ ବିଶ୍ୱକପ୍‌ରେ ସେମାନଙ୍କର ଦଳ ପାଇଁ ବିଶେଷ ଅବଦାନ ରହିଥିଲା। ଅନ୍ୟପକ୍ଷରେ ବାଂଲାଦେଶରେ ଅନୁଷ୍ଠିତ ମହିଳା ଏସିଆ କପ୍‌ରେ ପାକିସ୍ତାନର ସେମିଫାଇନାଲ ପ୍ରବେଶରେ ଦାର୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

Share