Categories: ଖେଳ

କୋହଲିଙ୍କ ଖୁଲାସା: ଡିପ୍ରେସନ୍‌କୁ ଚାଲିଯାଇଥିଲି, ଲାଗୁଥିଲା ଯେଭଳି…

ନୂଆଦିଲ୍ଲୀ,୧୯।୨: କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ବ୍ୟାଟ୍ସମ୍ୟାନ୍‌ଙ୍କ ଯେତିକି ପ୍ରଶଂସା କରାଯାଏ, ଖରାପ ପ୍ରଦର୍ଶନକୁ ନେଇ ସେମାନଙ୍କୁ ସେତିକି ସମାଲୋଚନା ମଧ୍ୟ କରାଯାଇଥାଏ। ଏହାକୁ ନେଇ ଭାରତୀୟ କ୍ରିକେଟରମାନେ ଚାପରେ ରହିଥାନ୍ତି। ସେଭଳି ଏକ ସମୟରେ ଡିପ୍ରେସନ ଦେଇ ଗତି କରିଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି।

ପୂର୍ବ କ୍ରିକେଟର ମାର୍କ ନିକୋଲସ୍‌ଙ୍କ ସହ ‘ନଟ୍‌ ଜଷ୍ଟ କ୍ରିକେଟ’ରେ କଥା ହେବା ସମୟରେ କୋହଲି କହିଛନ୍ତି, ୨୦୧୪ରେ ଇଂଲଣ୍ଡ ବିପକ୍ଷରେ ନିରାଶାଜନକ ପ୍ରଦର୍ଶନ ଯୋଗୁ ଡିପ୍ରେସନକୁ ଚାଲି ଯାଇଥିଲେ। ଏହି ଟେଷ୍ଟ ସିରିଜର ୫ ଟେଷ୍ଟ ମ୍ୟାଚ୍‌ର ୧୦ ପାଳିରେ ୧୩.୫୦ ଅନୁପାତରେ ୧,୮,୨୫,୦,୩୯,୨୮,୦,୭,୬ ଏବଂ ୨୦ ରନ୍‌ କରିଥିଲି। ଅନୁଭବୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ ମୋତେ ବହୁତ ଅସୁବିଧାରେ ପକାଇଥିଲେ। ଲଗାତାର ଭାବେ ସେ ମୋର ଉଇକେଟ ନେଉଥିଲେ। ଏହି ସମୟରେ ଡିପ୍ରେଶନ ସମସ୍ୟା ଦେଇ ମୁଁ ଗତି କରୁଥିଲି। ରନ୍‌ କରି ନ ପାରିବା କାରଣରୁ ଭଲ ଲାଗୁ ନ ଥିଲା। ସେତେବେଳେ ମୁଁ ଦୁନିଆର ସବୁଠାରୁ ଏକୁଟିଆ ବ୍ୟକ୍ତି ବୋଲି ନିଜକୁ ଭାବୁଥିଲି। ଏଥିରୁ କିଭଳି ବାହାରିବି ତାହା ଜାଣିପାରୁ ନ ଥିଲି ବୋଲି ସେ କହିଛନ୍ତି।

ଏହାଛଡ଼ା କୋହଲି କହିଛନ୍ତି ଅନେକ ଖେଳାଳି ଭିନ୍ନ-ଭିନ୍ନ ସମୟରେ ଡିପ୍ରେସନ(ମାନସିକ ଚାପ) ଦେଇ ଗତି କରିଥାନ୍ତି। ସେଥିରୁ କିଛି ବାହାରି ପାରନ୍ତି ନାହିଁ। ଫଳରେ କ୍ୟାରିୟର ଖରାପ ହୋଇଯାଏ। ଏହି ସମୟରେ ନିଜ ପାଖରେ ଜଣେ ଏଭଳି ବ୍ୟକ୍ତିଙ୍କ ଆବଶ୍ୟକତା ରହିଛି ଯିଏ ତୁମକୁ ବୁଝାଇପାରିବ। ଯାହାକୁ ମନ କଥା କହିହେବ। ନିଦ ହେଉନାହିଁ। ସକାଳେ ଉଠି ହେଉନାହିଁ। ମନରେ ଆଉ ବିଶ୍ୱାସ ଥିବା ଭଳି ଲାଗୁନାହିଁ। କ’ଣ କରିବା ଉଚିତ ବୋଲି ପଚାରି ହେବ। ଏଥିପାଇଁ ମାସ ମାସ ନଚେତ ବର୍ଷ ଲାଗିପାରେ। ଏହି ସମୟରେ ପେସାଦାର ବ୍ୟକ୍ତି ହିଁ ସହାୟତା କରିପାରିବେ। ସେ ନିଜେ ଏଥିରୁ ବାହାରିବାରେ ସଫଳ ହୋଇଛନ୍ତି। ଏପରିକି ସେ ଅଷ୍ଟ୍ରେଲିଆ ଗସ୍ତରେ ୬୯୨ରନ୍‌ କରିଥିଲେ ବୋଲି କହିଛନ୍ତି।

Share