ଲଣ୍ଡନ,୧୯।୮:ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସମୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଅନେକ ମତଭେଦ ଲାଗି ରହିଥିଲା। ପିଚ୍ରେ ଦୌଡ଼ିବାରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଆଣ୍ଡରସନଙ୍କୁ କଡ଼ା ଜବାବ ଦେଇଥିଲେ। କୋହଲି ଏପରିକି ଆଣ୍ଡରସନଙ୍କୁ କହିଥିଲେ ଯେ, ଏହା ହେଉଛି ପିଚ, ଆପଣଙ୍କ ଘର ନୁହେଁ, ଯେଉଁଠାରେ ଆପଣ ଦୌଡୁଛନ୍ତି। କୋହଲିଙ୍କ ଏହି ଆକ୍ରମଣାତ୍ମକ ଆଚରଣକୁ ପୂର୍ବତନ ଇଂଲଣ୍ଡ କ୍ରିକେଟର ନିକ କମ୍ପଟନ ଟୁଇଟ୍ କରି ସମାଲୋଚନା କରିଥିଲେ। କିନ୍ତୁ ଭାରତୀୟ ପ୍ରଶଂସକମାନେ କମ୍ପଟନଙ୍କୁ ଟ୍ରୋଲ କରିଲେ। ଏହା ପରେ ସେ ତାଙ୍କ ଟୁଇଟ୍କୁ ଡିଲିଟ କରିଥିଲେ।
କମ୍ପଟନ ୩ ଦିନ ପୂର୍ବରୁ ଏକ ଟୁଇଟ କରିଥିଲେ। ଏଥିରେ ସେ କୋହଲିଙ୍କୁ ସଚିନ ତେନ୍ଦୁଲକର, କେନ ୱିଲିୟମସନ ଏବଂ ଜୋ ରୁଟଙ୍କ ଭଳି ଖେଳାଳିଙ୍କ ସହ ତୁଳନା କରିଥିଲେ। ସେ ଲେଖିଛନ୍ତି ଯେ, ୨୦୧୨ ରେ କୋହଲିଙ୍କଠାରୁ ପାଇଥିବା ଖରାପ ବ୍ୟବହାର ମୁଁ କେବେବି ଭୁଲି ପାରିବି ନାହିଁ। ମୁଁ ସେତେବେଳେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। କାରଣ ସେତେବେଳେ ବିରାଟ ସମସ୍ତ ସୀମା ଅତିକ୍ରମ କରିଥିଲେ। ଜୋ ରୁଟ, ସଚିନ ତେନ୍ଦୁଲକର ଏବଂ କେନ ୱିଲିୟମସନ ଏତେ ଶାନ୍ତ ଏବଂ ନମ୍ର ଖେଳାଳି କିନ୍ତୁ କୋହଲି ଆଦୌ ନୁହେଁ ବୋଲି ସେ କହିଥିଲେ।