Categories: ଖେଳ

ଡିପ୍ରେଶନରେ ଥିଲେ କୋହଲି: ଭିଡ଼ରେ ମଧ୍ୟ ଏକା ଅନୁଭବ କରୁଥିଲେ

ନୂଆଦିଲ୍ଲୀ,୨୦।୨(ପି.ଟି.): ୨୦୧୪ ଇଂଲଣ୍ଡ ଗସ୍ତ ସମୟରେ ମାନସିକ ଅବସାଦରେ ଥିବା କଥା ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ବ୍ୟାଟିଂରେ କ୍ରମାଗତ ଭାବେ ବିଫଳ ହେବା ପରେ ସେ ପ୍ରବଳ ଭାବେ ଡିପ୍ରେଶନକୁ ଚାଲିଯାଇଥିଲେ। ଏପରି କି ଭିଡ଼ ମଧ୍ୟରେ ମଧ୍ୟ ସେ ଏକା ଅନଭବ କରୁଥିଲେ ବୋଲି କହିଛନ୍ତି।
ଇଂଲଣ୍ଡ ଖେଳାଳି ମାର୍କ ନିକୋଲାସଙ୍କ ସହ ତାଙ୍କ ପୋଡ୍‌କାଷ୍ଟ ‘ନଟ୍‌ ଜଷ୍ଟ କ୍ରିକେଟ’ରେ କଥା ହେବା ବେଳେ ସେ ଏହି କଥା କହିଛନ୍ତି। ଏହି ସମୟରେ ସେ ଜୀବନ ତଥା କ୍ୟାରିୟରର ସବୁଠାରୁ କଷ୍ଟକର ସ୍ଥିତି ଦେଇ ଗତି କରିଥିଲେ। ମାନସିକ ଅବସାଦରେ କେବେ ପଡିଛନ୍ତି କି ବୋଲି ପ୍ରଶ୍ନର ଉତ୍ତରରେ ସେ ଏହି କଥା କହିଛନ୍ତି। ୨୦୧୪ ଇଂଲଣ୍ଡ ଗସ୍ତରେ କୋହଲି ୫ଟି ଟେଷ୍ଟ ଖେଳିଥିଲେ ଓ ୧୦ଟି ଇନିଂସରେ ଯଥାକ୍ରମେ ୧, ୮, ୨୫, ୩୯ , ୦ , ୨୮, ୦, ୭, ୬, ଓ ୨୦ ରନ ସଂଗ୍ରହ କରିଥିଲେ। ତାଙ୍କର ହାରାହାରି ରନ୍‌ ସଂଗ୍ରହ ଥିଲା ୧୩. ୫୦। ଏହା ପରେ ଅଷ୍ଟ୍ରେଲିଆ ଗସ୍ତରେ ସେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଟେଷ୍ଟ ସିରିଜରେ ୬୯୨ ରନ ସଂଗ୍ରହ କରିଥିଲେ। ତେବେ ଇଂଲଣ୍ଡ ଗସ୍ତରେ ଡିପ୍ରେଶନରୁ ବର୍ତ୍ତିପାରି ନ ଥିଲି ଓ କିଛି ମଧ୍ୟ କରିପାରି ନ ଥିଲି। ବିଶ୍ୱର ସବୁଠାରୁ ଜଣେ ଏକା ମଣିଷ ଭାବେ ନିଜକୁ ସେତେବେଳେ ଭାବୁଥିଲି। ଯଦିଓ ପାଖରେ ନିଜର ଲୋକମାନେ ଯଥେଷ୍ଟ ସମର୍ଥନ ଦେଇଥିଲେ। ଅବଶ୍ୟ ପେସାଦାର ଭାବେ ସାହାଯ୍ୟ ଆଶା କରୁଥିଲି ବୋଲି କୋହଲି କହିଛନ୍ତି। ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ତଥା ପିଙ୍ଗବଲ୍‌ ମ୍ୟାଚ୍‌ ଖେଳିବାକୁ କୋହଲି ଏବେ ଅହମଦାବାଦରେ ଅଛନ୍ତି।

Share