Categories: ଖେଳ

କୋହଲିଙ୍କ ଦ୍ରୁତ ୧୩ ହଜାର ରନ୍‌

କଲମ୍ବୋ,୧୨।୯: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ପୂରଣ କରିଛନ୍ତି ୧୩ ହଜାର ରନ୍‌। ପାକିସ୍ତାନ ବିପକ୍ଷ ଏସିଆ କପ୍‌ର ସୁପର-୪ ମ୍ୟାଚରେ କୋହଲି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଏହି ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ୧୩ ହଜାର ରନ୍‌ ପୂରଣ କରିବାକୁ ୯୮ ରନ୍‌ ଆବଶ୍ୟକ ଥିଲା। ଏହି ମ୍ୟାଚ୍‌ରେ ଦିନିକିଆ କ୍ୟାରିୟରର ୪୭ତମ ଶତକ ପୂରଣ କରିବା ସହିତ ସମ୍ପୂର୍ଣ୍ଣ ଷ୍ଟାଇଲରେ ୧୩ ହଜାର ରନ୍‌ ପୂରଣ କରିଛନ୍ତି।

ଏହା ସହିତ ବିଶ୍ୱର ଦ୍ରୁତତମ ଖେଳାଳି ଭାବରେ କୋହଲି ୧୩ ହଜାର ରନ୍‌ କ୍ଲବରେ ପ୍ରବେଶ କରିଛନ୍ତି। ଭାରତର କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି କୋହଲି। ତେନ୍ଦୁଲକର ୩୨୧ ଇନିଂସରେ ୧୩ ହଜାର ରନ୍‌ ପୂରଣ କରିଥିବା ବେଳେ କୋହଲି ୨୬୭ ତମ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ବିଶ୍ୱର ପଞ୍ଚମ ଖେଳାଳି ଭାବରେ କୋହଲି ଅନ୍ତର୍ଜାତୀୟ ଦିନିକିଆରେ ୧୩ ହଜାର ରନ୍‌ ସମ୍ପୂର୍ଣ୍ଣ କରିଛନ୍ତି। ସଚିନ୍‌ ତେନ୍ଦୁଲକର (୧୮,୪୨୬ ରନ୍‌), କୁମାର ସଙ୍ଗକାରା(୧୪,୨୩୪ ରନ୍‌), ରିକି ପଣ୍ଟିଂ(୧୩, ୭୦୪ ରନ୍‌) ଓ ସନଥ ଜୟସୁରିୟା(୧୩,୪୩୦ ରନ୍‌) ପୂର୍ବରୁ ୧୩ ହଜାର କ୍ଲବରେ ସାମିଲ ଅଛନ୍ତି। ଏହା ସହିତ ଦିନିକିଆରେ ସର୍ବାଧିକ ଅର୍ଦ୍ଧଶତକରେ ମଧ୍ୟ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ରିକି ପଣ୍ଟିଂଙ୍କୁ ପଛରେ ପକାଇଛନ୍ତି କୋହଲି।

Share