Categories: ଖେଳ

କୋହଲିଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ କଟିଲା

ବେଙ୍ଗାଲୁରୁ,୧୯।୪(ପି.ଟି.): ଆଇପିଏଲ୍‌ ଫ୍ରାଞ୍ଚାଇଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଖେଳାଳି ବିରାଟ କୋହଲିଙ୍କ ୧୦ ପ୍ରତିଶତ ମ୍ୟାଚ୍‌ ଫି’ କଟାଯାଇଛି। ଆଚରଣବିଧି ଉଲ୍ଲଂଘନ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଚିନ୍ନାସ୍ବାମୀ ଷ୍ଟାଡିୟମରେ ସୋମବାର ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚରେ ଏକ ଉଇକେଟ ପତନ ପରେ କୋହଲିଙ୍କ ଓ୍ବାଇଲ୍ଲ୍ଡ ସେଲିବ୍ରେଶନ ପାଇଁ ଦଣ୍ଡିତ କରାଯାଇଛି। କୋହଲି ଆର୍ଟିକିଲ୍‌ ୨.୨ର ନିୟମ ଉଲ୍ଲଂଘନ କରିଥିବା ବେଳେ ତାଙ୍କ ବିରୋଧରେ ଲେଭଲ-୧ ଅଫେନ୍ସ ଲାଗୁ କରାଯାଇଥିଲା। କୋହଲି ଦୋଷ ସ୍ବୀକାର କରିଥିବା ବେଳେ ମ୍ୟାଚ୍‌ ରେଫରି ତାଙ୍କ ଫି’ର ୧୦ ପ୍ରତିଶତ କାଟିବାକୁ ନିଷ୍ପତ୍ତି ନେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ସୋମବାରର ସଦର୍ନ ଡର୍ବିରେ ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ହରାଇ ୨୨୬ ରନ୍‌ କରିଥିବା ବେଳେ ଆରସିବି ବିଜୟରୁ ୮ ରନ୍‌ ଦୂରରେ ରହିଥିଲା। ଚେନ୍ନାଇର ମଧ୍ୟକ୍ରମ ବ୍ୟାଟର ଶିବମ୍‌ ଦୁବେ ଆକ୍ରମଣାତ୍ମକ ବ୍ୟାଟିଂ କରି ୨୭ ବଲ୍‌ରୁ ୫୨ ରନ୍‌ କରିଥିଲେ। ଓ୍ବେନ୍‌ ପାର୍ନେଲଙ୍କ ବଲ୍‌ରେ ଦୁବେ ଆଉଟ ହୋଇଥିବା ବେଳେ କୋହଲି ଅତ୍ୟନ୍ତ ଉତ୍ତେଜିତ ସେଲିବ୍ରେଶନ୍‌ କରିଥିଲେ।

Share