Categories: ଖେଳ

କୋହଲିଙ୍କ ଚିନ୍ତା ଦୂର କଲେ ଏହି କ୍ରିକେଟର୍‌: ଦିନେ ହୋଇଥିଲେ ଗିରଫ

ଦୁବାଇ,୧୯।୧୦: ଟି -୨୦ ବିଶ୍ୱକପ୍‌ର ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଟିମ ଇଣ୍ଡିଆ ୭ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତର ବ୍ୟାଟ୍ସମ୍ୟାନ ଇଶାନ କିଶାନ ବିସ୍ଫୋରକ ଇନିଂସ ଖେଳି ୪୬ ବଲରେ ୭୦ ରନର ଇନିଂସ ଖେଳିଥିଲେ। ସେଥିରେ ୭ ଚୌକା ଓ ୩ ଛକା ଅନ୍ତର୍ଭୁକ୍ତ ଥିଲା। ଇଶାନଙ୍କ ଏହି ଇନିଂସ ପରେ କୋହଲିଙ୍କ ଚିନ୍ତା ଦୂର ହୋଇଛି। ଗତ ଆଇପିଏଲ୍‌ରେ ଇଶାନଙ୍କ ଫର୍ମ ସେତେଟା ଭଲ ନ ଥିଲା। ତାଙ୍କୁ ନେଇ ଚର୍ଚ୍ଚା ହେଉଛି।
ପାଞ୍ଚ ବର୍ଷ ପୂର୍ବେ ୨୦୧୬ ରେ ଇଶାନ କିଶନଙ୍କୁ କାର ଦୁର୍ଘଟଣା ଅଭିଯୋଗରେ ଗିରଫ କରାଯାଇଥିଲା। ଇଶାନ ସେହି ସମୟରେ ଭାରତର ଅଣ୍ଡର -୧୯ ଦଳର ଅଧିନାୟକ ଥିଲେ। ଇଶାନ ନିଜର ଦ୍ରୁତଗାମୀ କାରକୁ ଏକ ଅଟୋ ରିକ୍ସା ସହ ପିଟି ଦେଇଥିଲେ। ଏହା ପରେ ରିକ୍ସାରେ ବସିଥିବା ଅନେକ ଲୋକ ଆହତ ହୋଇଥିଲେ। ଇଶାନଙ୍କ ଏହି କାର୍ଯ୍ୟ ଯୋଗୁ ତାଙ୍କୁ ପାଟନା ପୋଲିସ ଗିରଫ କରିଥିଲା।
ଇଶାନଙ୍କ କାର ଅଟୋ ରିକ୍ସା ସହିତ ମୁହାଁମୁହିଁ ହେବା ମାତ୍ରେ ସେଠାରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ ଏବଂ ସେମାନେ ସେଠାରେ ଇଶାନଙ୍କୁ ବିରୋଧ କରିବାକୁ ଲାଗିଲେ। ଏହା ପରେ ଇଶାନ କିଶନ ସେହି ଲୋକଙ୍କ ସହ ଝଗଡା ଆରମ୍ଭ କରିଥିଲେ। ଲୋକମାନେ ଇଶାନଙ୍କୁ ବହୁତ ମାଡ ମାରିଥିଲେ, ଯାହା ପରେ ପୋଲିସ ଏହାର ସମାଧାନ କରିଥିଲା। ସେହି ସମୟରେ ଇଶାନଙ୍କ ସହ ଅନ୍ୟ ଅନେକ ଲୋକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ଟି -୨୦ ବିଶ୍ୱକପରେ ଭାରତକୁ ୨୪ ଅକ୍ଟୋବରରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ଖେଳିବାକୁ ପଡିବ।

Share