ବୁଦାପେଷ୍ଟ(ହଙ୍ଗେରୀ),୨୦ା୫(ଏପି)- କ୍ରମାଗତ ଦ୍ୱିତୀୟ ଦିବସରେ ରୁଷୀୟ ସନ୍ତରଣକାରୀ କ୍ଲିମେଣ୍ଟ କୋଲେସ୍ନିକୋଭ ୫୦ ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ନିଜ ନାମରେ ଥିବା ବିଶ୍ୱ ରେକର୍ଡରେ ଉନ୍ନତି ଆଣିଛନ୍ତି। ୨୦ ବର୍ଷୀୟ କୋଲେସ୍ନିକୋଭ ମଙ୍ଗଳବାର ୨୩.୮୦ ସେକେଣ୍ଡ ସମୟ ନେଇ ୟୁରୋପିଆନ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ସେମିଫାଇନାଲ ଟାଇମିଂ ଅପେକ୍ଷା କୋଲେସ୍ନିକୋଭ୍ ଫାଇନାଲରେ ୦.୧୩ ସେକେଣ୍ଡ କମ୍ ସମୟ ନେଇଥିଲେ। ସୋମବାର ସେମିଫାଇନାଲରେ ତାଙ୍କ ରେସ୍କୁ ୨୩.୯୩ ସେକେଣ୍ଡରେ ଶେଷ କରିଥିଲେ। ପୂର୍ବରୁ ପ୍ରଥମ ସୁଇମର ଭାବେ ୨୪ ସେକେଣ୍ଡ ଟାଇମିଂ ନେଇ ରେକର୍ଡର ଅଧିକାରୀ ଥିଲେ କୋଲେସ୍ନିକୋଭ୍। ୩ ବର୍ଷ ପୂର୍ବେ ଗ୍ଲାସ୍ଗୋରେ ଅନୁଷ୍ଠିତ ୟୁରୋପିଆନ ଚାମ୍ପିୟନଶିପ୍ରେ ସେ ୨୪.୦୦ ସେକେଣ୍ଡ ସମୟ ନେଇଥିଲେ। ସୂଚନାଯୋଗ୍ୟ, ୫୦ ମିଟର ବ୍ୟାକ୍ଷ୍ଟ୍ରୋକ୍ ଏକ ଅଲିମ୍ପିକ ଇଭେଣ୍ଟ ନୁହେଁ।