ଦୁର୍ଗା ପେଣ୍ଡାଲରେ ବଳାତ୍କାର-ଭ୍ରୁଣ ହତ୍ୟାର ମେଢ, ପୂଜା ପାଉଛନ୍ତି ଦୁର୍ଗା ନୁହେଁ ଜଣେ ମହିଳା

କୋଲକତା,୨୧।୧୦: ନାରୀର ଅନ୍ୟ ଏକ ଅବତାର ଦୁର୍ଗା। ସେ ତା ସନ୍ତାନ ପାଇଁ କେତେବେଳେ ସ୍ନେହମୟୀ ଦେବୀ ପାଲଟେ ତ କେତେବେଳେ ସଂହାରକର୍ତ୍ତୀ। ନାରୀର ସେଇ ରୂପ ଜଗତଜନନୀ ଦୁର୍ଗା ଏହି ପାର୍ବଣ ଋତୁରେ ଧରାବତରଣ କରନ୍ତି। ସବୁ ମଣ୍ଡପରେ ଆଜି ଧୁମଧାମରେ ଚାଲିଛି ସପ୍ତମୀ ପୂଜା। ସବୁଠି ମାଆଙ୍କର ଆରଧନା । ଦେଶର ପ୍ରତିଟି କୋଣରେ ଥିବା ଭଳିକି ଭଳି ଦୁର୍ଗା ପେଣ୍ଡାଲରେ ଆଖି ଖୋସି ହେଲା ଭଳି କାରୁକାର୍ଯ୍ୟ ହୋଇଛି। କୋଲକତା ପ୍ରସିଦ୍ଧ ଦୁର୍ଗାପୂଜା ଦେଖିବାକୁ କେବଳ ଦେଶ ନୁହେଁ ସମଗ୍ର ବିଶ୍ୱରୁ ଲୋକମାନେ ଭିଡ ଜମେଇଥା’ନ୍ତି। ସଂସ୍କୃତିର ଝଲକ ସହିତ ଏକ ସାମାଜିକ ବାର୍ତ୍ତା ମଧ୍ୟ ପେଣ୍ଡାଲରେ ଲୁଚି ରହିଥାଏ। ତେବେ କୋଲକତାର ପୂଜା ମଣ୍ଡପ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସାମାଜିକ ବାର୍ତ୍ତା ଦେବା ସହ ପୂଜା କମିଟି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମାନବ ଚାଲାଣ ତଥା କିଶୋରୀଙ୍କ ପ୍ରତି ହେଉଥିବା ଅପରାଧ ବୃଦ୍ଧି ପ୍ରସଙ୍ଗରେ ବିସ୍କୃତ ଭାବେ ଚମତ୍କାର ସୃଜନୀରେ ବର୍ଣ୍ଣନା କରାଯାଇଛି।

ନାରୀ କହିଲେ ଏକ ପରିବାରର ସମ୍ମାନ। ଏକ ସମାଜର ଦର୍ପଣ। ଏକ ଦେଶର ଆତ୍ମବିଶ୍ୱାସ। ସେଇଥିପାଇଁ ତ ନାରୀକୁ ଦେଶର ପ୍ରତିଛବି ରୂପେ ଗଣାଯାଇଥାଏ। କିନ୍ତୁ ସମାଜର ଏହି ସମ୍ମାନ ଏବେ ବିପଦବସ୍ଥାରେ। ଦିନକୁ ଦିନ ନାରୀ ନିର୍ଯାତନା, ବଳାତ୍କାର, କନ୍ୟା ଭ୍ରୁଣ ହତ୍ୟା ପରି ସମାଜରେ ବଢିବାରେ ଲାଗିଛି। ନା ଏଥିରେ ରୋକ୍‌ ଲାଗି ପାରୁଛି ନା କିଛି ପରିବର୍ତ୍ତନ ହେଉଛି। ତେବେ ଏହି ପ୍ରସଙ୍ଗକୁ ନେଇ କୋଲକତାର ବାଶୀବୋଷ ଲେନରେ ପ୍ରସ୍ତୁତ ହୋଇଛି ଚମତ୍କାର କଳାକୃତି। ଯେଉଁଠି ବିଶେଷ ଥିମ୍‌ ରହିଛି କିଶୋରୀଙ୍କୁ ଦିଆଯାଉଥିବା ନିର୍ଯାତନା।

 

_The_vivacious_ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ କୋଲକାତାର କାଶୀବୋଷ ଲେନର ଦୁର୍ଗା ପୂଜା ମଣ୍ଡପର ଝଲକ ଦେଖିବାକୁ ମିଳିଛି। ପେଣ୍ଡାଲରେ କିଶୋରୀମାନଙ୍କ ପ୍ରତି ହେଉଥିବା ଆପରାଧିକ ଘଟଣାର କାହାଣୀ ବର୍ଣ୍ଣନା ହୋଇଛି। ଖାସ୍‌ କରି ମଣ୍ଡପରେ ମା ଦୁର୍ଗାଙ୍କ ସହ ଜଣେ ମହିଳାଙ୍କୁ ପୂଜା କରାଯାଉଛି। ଏହି ବସ୍ମୟକର ମଣ୍ଡପ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

Share