୭ଉଇକେଟରେ ରାଜସ୍ଥାନକୁ ହରାଇଲା କୋଲ୍‌କାତା

ମୁମ୍ବାଇ,୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୫୨ ରନ୍‌ କରିଥିଲା। ଜବାବରେ କୋଲକାତା ୧୯.୧ ଓଭରରେ ୩ ଉଇକେଟ ହରାଇ ୧୫୮ ରନ ସଂଗ୍ରହ କରି ନେଇଥିଲା। କ୍ରମାଗତ ୫ ପରାଜୟ ପରେ ବିଜୟ ସ୍ବାଦ ଚାଖିଛି କୋଲକାତା। ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି ରାଜସ୍ଥାନ। କୋଲକାତା ୩୨ ରନରେ ୨ଟି ଉଇକେଟ ହରାଇ ବିପଦରେ ପଡ଼ି ଥିବାବେଳେ ଅଧିନାୟକ ଶ୍ରେୟସ ଆୟାର ୩୪(୩ ଚୌକା, ୧ ଛକା) ରନର ଉପଯୋଗୀ ଇନିଂସ ଖେଳିଥିଲେ। ନୀତୀଶ ରାଣା ୪୮ (୩୭ ବଲ, ୩ ଚୌକା, ୨ ଛକା) ଓ ରିଙ୍କୁ ସିଂ ୪୨ (୨୩ ବଲ, ୬ ଚୌକା, ୧ ଛକା) ରନରେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ଅସମାପ୍ତ ୪ର୍ଥ ଉଇକେଟରେ ଏ ଦୁହେଁ ୩୮ ବଲ୍‌ରୁ ୬୬ ରନର ଭାଗୀଦାରି ଗଢ଼ିଥିବାବେଳେ ୨୦ତମ ଓଭରର ପ୍ରଥମ ବଲ୍‌କୁ ଛକାମାରି ୫ ବଲ୍‌ ପୂର୍ବରୁ ମ୍ୟାଚକୁ ଶେଷ କରିଥିଲେ ନୀତୀଶ। ୧୦ ମ୍ୟାଚରୁ କୋଲକାତାର ଏହା ୪ର୍ଥ ବିଜୟ ହୋଇଥିବାବେଳେ ସମାନ ମ୍ୟାଚରୁ ରାଜସ୍ଥାନର ୪ର୍ଥ ପରାଜୟ।
ଗତ ସିଜନର ଦୁଇ ଷ୍ଟାର ବରୁଣ ଚକ୍ରବର୍ତ୍ତୀ ଓ ଭେଙ୍କଟେଶ ଆୟରଙ୍କ ବିନା ମ୍ୟାଚ୍‌କୁ ଓହ୍ଲାଇଥିଲା କେକେଆର୍‌। ସେମାନଙ୍କ ସ୍ଥାନରେ ଅନୁକୂଳ ରୟ ଓ ରିଙ୍କୁ ସିଂଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। କେକେଆର୍‌ ଅଧିନାୟକ ଶ୍ରେୟାସ ଆୟାର ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ନିଷ୍ପତ୍ତିକୁ ଠିକ୍‌ ପ୍ରମାଣିତ କରିଥିଲେ ଉମେଶ ଯାଦବ। ସେ ଇନିଂସର ତୃତୀୟ ଓଭରରେ ଦେବଦତ୍ତ ପଡିକଲ (୨)ଙ୍କୁ ପ୍ୟାଭିଲିଅନ ପଠାଇଥିଲେ। ଅନ୍ୟତମ ଓପ୍‌ନର ଜୋସ୍‌ ବଟ୍‌ଲର(୨୨)ଙ୍କ ସହ ମିଶି ଅଧିନାୟକ ସଞ୍ଜୁ ଦ୍ୱିତୀୟ ଉଇକେଟ ପାଇଁ ୪୮ ରନ୍‌ ଯୋଡ଼ିଥିଲେ। ହେଲେ କୋଲ୍‌କାତାର ବୋଲରମାନେ ସେମାନଙ୍କୁ କଦାପି ହାତ ଖୋଲି ଖେଳିବାକୁ ସୁଯୋଗ ଦେଇ ନ ଥିଲେ। ତା’ପରେ ଛକା ମାରିବାକୁ ଯାଇ ବଟ୍‌ଲରଙ୍କ ଭଳି ବାଉଣ୍ଡାରୀ ପାଖରେ କରୁଣ ନାୟାର (୧୩), ରିୟାନ ପରାଗ (୧୯) ଓ ଅଧିନାୟକ ସାମ୍‌ସନ ଧରାପଡ଼ିଥିଲେ। ସାମସନ ଆଉଟ୍‌ ହେବା ପୂର୍ବରୁ ୪୯ ବଲରେ ୫୪ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ୭ ଚୌକା ଓ ୧ ଛକା ସାମିଲ ଥିଲା। ଅନ୍ତିମ ଦୁଇ ଓଭରରେ ଶିମରନ ହେଟମେର ୨୭ (୧ ଚୌକା ଓ ୨ ଛକା) ରନ୍‌ କରିବାରୁ ରାଜସ୍ଥାନ ୨୦ ଓଭରରେ ୫ ଉଇକେଟ ହରାଇ ୧୫୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। କୋଲ୍‌କାତା ପକ୍ଷରୁ ଟିମ୍‌ ସୌଦି ୨ଟି ଏବଂ ଉମେଶ, ଅନୁକୂଳ ଓ ଶିବମ୍‌ ମାଭି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର: ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୫୨/୫ (ସଞ୍ଜୁ ସାମ୍‌ସନ-୫୪, ଶିମରନ ହେଟମେର-୨୭*, ଟିମ୍‌ ସୌଦି-୨/୪୬, ଉମେଶ ଯାଦବ-୧/୨୪ )। କୋଲକାତା ନାଇଟ ରାଇଡର୍ସ ୧୯.୧ ଓଭରରେ ୧୫୮/୩ (ନୀତୀଶ ରାଣା-୪୮*, ରିଙ୍କୁ ସିଂ-୪୨*, ଶ୍ରେୟସ ଆୟାର-୩୪, ଟ୍ରେଣ୍ଟ ବୋଲ୍ଟ-୧/୨୫, ପ୍ରସିଦ୍ଧ କ୍ରିଷ୍ଣା-୩୭, କୁଲଦୀପ ସେନ-୧/୨୮)।

Share