Categories: ଖେଳ

କୋଲକାତାର ବୃହତ ବିଜୟ

କୋଲକାତା,୬।୪: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଅନୁଷ୍ଠିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ନବମ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଚମତ୍କାର ପ୍ରଦର୍ଶନ କରି ୮୧ ରନ୍‌ରେ ବିଜୟୀ ହୋଇଛି।

ଶାର୍ଦ୍ଦୂଳ ଠାକୁର ଓ ରହମାନଉଲ୍ଲା ଗୁରବାଜଙ୍କ ଅର୍ଦ୍ଧଶତକ ବଳରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୨୦୪ ରନ୍‌ କରିଥିଲା। ଫଳରେ ଆର୍‌ସିବି ଆଗରେ୨୦୫ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଥିଲା କୋଲକାତା । ହେଲେ ଆର୍‌ସିବି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୭.୪ ଓଭରରେ ୧୨୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। କୋଲକାତା ତାର ଦ୍ୱିତୀୟ ମ୍ୟାଚ୍‌ରେ ବୃହତ ବିଜୟୀ ସହ ସିଜନର ବିଜୟ ଅଭିଯାନ ଆରମ୍ଭ କରିଛି।

୨୦୫ ରନ୍‌ର ପିଛା କରୁଥିବା ଆରସିବି ପକ୍ଷରୁ ପ୍ରଥମ ଉଇକେଟରେ ୪୪ ରନ୍‌ ଯୋଡିଥିଲେ ଫାଫ୍‌ ଡୁ ପ୍ଲେସି(୨୩) ଓ ବିରାଟ କୋହଲି(୧୯)। ତେବେ କେକେଆରର ୩ ସ୍ପିନରଙ୍କ ଘାତକ ବୋଲିଂ ଆଗରେ ହାର ମାନିଥିଲା ଆର୍‌ସିବି। ମ୍ୟାଚ୍‌ର ପଞ୍ଚମ ଓଭରରେ କୋହଲିଙ୍କୁ ବୋଲ୍ଡ କରି ପ୍ରଥମ ସଫଳତା ହାସଲ କରିଥିଲେ ସୁନୀଲ ନାରିନ୍‌। ପରବର୍ତ୍ତୀ ଓଭରରେ ଡୁ ପ୍ଲେସିଙ୍କୁ ଆଉଟ କରିଥିଲେ ବରୁଣ ଚକ୍ରବର୍ତ୍ତୀ। ୩ ସ୍ପିନର ୯ ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ବରୁଣ ଚକ୍ରବର୍ତ୍ତୀ ୪, ଇମ୍ପାକ୍ଟ ସବଷ୍ଟିଚ୍ୟୁଟ ସୁୟଶ ଶର୍ମା ୩ ଉଇକେଟ ଓ ସୁନୀଲ ନାରିନ୍‌ ୨ ଉଇକେଟ ନେଇଥିଲେ। ୬ ଜଣ ଆର୍‌ସିବି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ।

Share