Categories: ଜାତୀୟ

କୋଲକାତା ବଳାତ୍କାର-ହତ୍ୟା ମାମଲା: ଅଭିଯୁକ୍ତ କହିଲା-‘ମୁଁ ନିର୍ଦ୍ଦୋଷ, ମୋର ପଲିଗ୍ରାଫ୍ ପରୀକ୍ଷା କର!’

କୋଲକାତା,୨୩।୮: କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ୟୁ-ଟର୍ନ ମାରିଛନ୍ତି। ସଞ୍ଜୟଙ୍କ ଓକିଲ କବିତା ସାର୍କ କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ତାଙ୍କର ପଲିଗ୍ରାଫ୍ ପରୀକ୍ଷା କରାଯାଉ ଯାହା ଦ୍ୱାରା ସତ୍ୟ ପଦାକୁ ଆସିପାରିବ। ସେ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ଏହି ଘଟଣାର ତଦନ୍ତ କରୁଥିବା ସିବିଆଇକୁ ସେ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ, ଯାହାଫଳରେ ପ୍ରକୃତ ଅପରାଧୀ ଧରାଯିବ।

ସଞ୍ଜୟ ରୟଙ୍କ ଓକିଲ କବିତା ସାର୍କ ଗଣମାଧ୍ୟମକୁ କହିଛନ୍ତି ଯେ ପଲିଗ୍ରାଫ୍ ପରୀକ୍ଷା ପାଇଁ ସଞ୍ଜୟଙ୍କ ସମ୍ମତି ନିଆଯିବା ପରେ ମୁଁ ସେଠାରେ ଉପସ୍ଥିତ ଥିଲି। ସେ ପରୀକ୍ଷା ପାଇଁ ତାଙ୍କ ସମ୍ମତି ଦେଇଥିଲେ। ମୁଁ ବ୍ୟକ୍ତିଗତ ଭାବରେ ତାଙ୍କୁ ପଲିଗ୍ରାଫ୍ ପରୀକ୍ଷା କ’ଣ ବୁଝାଇଥିଲି। ଏହା ପରେ ସେ ରାଜି ହୋଇଥିଲେ। ତାଙ୍କ କହିବାନୁସାରେ, ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବାରୁ ସେ ବର୍ତ୍ତମାନ ଅନେକ ମାନସିକ ଚାପରେ ଅଛନ୍ତି।ସେ ଚାହୁଁଛନ୍ତି ଯେ ସତ୍ୟ ବାହାରକୁ ଆସୁ।

କବିତା ସାର୍କଙ୍କ ଅନୁଯାୟୀ ସଞ୍ଜୟ ରୟ କହିଛନ୍ତି ଯେ ସେ ଏହି ଅପରାଧରେ ଜଡିତ ନୁହଁନ୍ତି। ତେଣୁ ଯେକୌଣସି ପ୍ରକାର ପରୀକ୍ଷା ପାଇଁ ପ୍ରସ୍ତୁତ। ଏହି ଘଟଣାର ସମସ୍ତ ଅନୁସନ୍ଧାନରେ ସହଯୋଗ କରିବେ। ଜଣେ ମହିଳା ଡାକ୍ତରଙ୍କ ସହ ଅତ୍ୟାଚାର ଅଭିଯୋଗ ହୋଇଥିବା ସଞ୍ଜୟ ରୟଙ୍କ ୟୁ-ଟର୍ ଆଶ୍ଚର୍ଯ୍ୟଜନକ ଅଟେ। କାରଣ ଗିରଫ ପରେ ସେ ନିଜେ ନିଜ ଅପରାଧ ସ୍ୱୀକାର କରିଛନ୍ତି। ସେତେବେଳେ ପୋଲିସ ହେପାଜତରେ ପଚରାଉଚରା ବେଳେ ସେ କହିଥିଲେ, ‘ହଁ, ମୁଁ ଏକ ଅପରାଧ କରିଛି, ମୋତେ ଫାଶୀ ଦିଅ।’

ସିବିଆଇର ସ୍ୱତନ୍ତ୍ର କୋର୍ଟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫି ପରୀକ୍ଷାକୁ ଅନୁମୋଦନ କରିଛନ୍ତି। ଏହାପୂର୍ବରୁ ୪ ଜଣ ଟ୍ରେନିଂ ଡାକ୍ତର ଏବଂ ପୂର୍ବତନ କଲେଜ ପ୍ରିନ୍ସପାଲ ଡକ୍ଟର ସନ୍ଦୀପ ଘୋଷଙ୍କ ପଲିଗ୍ରାଫ୍ ପରୀକ୍ଷା ପାଇଁ ଅନୁମୋଦନ ମଧ୍ୟ ମିଳିଛି। ଏହା ସହିତ ସିଲଦାହର ସ୍ୱତନ୍ତ୍ର କୋର୍ଟ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

Share