Categories: ଜାତୀୟ

ଦୁର୍ଗା ପେଣ୍ଡାଲରେ ଦେଖିବାକୁ ମିଳିବ ପ୍ରବାସୀ ଶ୍ରମିକଙ୍କ ଦୁଃଖ

କୋଲକତା, ୫।୧୦: ଆଗକୁ ଆସୁଛି ଦୁର୍ଗାପୂଜା। କରୋନା ଯୋଗୁ ଏଥର ଦୁର୍ଗାପୂଜା ଫିକା ପଡିବାର ସମ୍ଭାବନା ରହିଛି। ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କୋଲକତାରେ ଏବର୍ଷ ଏକ ନିଆରା ଦୁର୍ଗାପୂଜା ପାଳନ କରାଯିବ। ଦୁର୍ଗା ପେଣ୍ଡାଲରେ ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା ଦେଖିବାକୁ ମିଳିବ। ଶ୍ରମିକଙ୍କ ଦୁଃଖକୁ ଥିମ୍‌ ଭାବେ ନେଇ ମୂର୍ତ୍ତି ପ୍ରସ୍ତୁତ କରାଯିବ। କୋଲକତାର ପ୍ରସିଦ୍ଧ ଦୁର୍ଗାପୂଜା କମିଟି ନାକତଲା ଉଦୟନ ସଂଘ ଏଭଳି ମୂର୍ତ୍ତି ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ଏଥର ଦୁର୍ଗା ପେଣ୍ଡାଲରେ ୧୨ ପୁଟ୍‌ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯିବ। ଏହାସହ ପେଣ୍ଡାଲ ନିକଟରେ ଏକ ଟ୍ରକ୍‌ ପ୍ରତିକୃତି ନିର୍ମାଣ କରାଯିବ, ଯେଉଁଥିରେ ଶ୍ରମିକମାନେ ବସି ଥିବାର ଦେଖାଯିବ। ବିଭିନ୍ନ ରାଜ୍ୟରୁ ୬୦ ଶ୍ରମିକଙ୍କୁ ଏହାର ନିର୍ମାଣ କାର୍ଯ୍ୟ ପାଇଁ ଡକାଯାଇଛି। ଏଥର ଅକ୍ଟୋବର ୧୭ରୁ ନବରାତ୍ରୀ ଆରମ୍ଭ ହେଉଛି। ଦୁର୍ଗାପୂଜା ୨୩ରୁ ଆରମ୍ଭ ହୋଇ ୨୬ରେ ଶେଷ ହେବ। ସୂଚନାଯୋଗ୍ୟ, କରୋନା ସମୟରେ ଲକ୍ଷ ଲକ୍ଷ ଶ୍ରମିକମାନେ ଚାକିରି ହରାଇ ନିଜ ରାଜ୍ୟ ଫେରୁଥିବାବେଳେ ଅନେକ ଅସୁବିଧାର ସାମ୍ନା କରିଥିଲେ।

Share