Categories: ଜାତୀୟ

କୋଲକାତା ବଳାତ୍କାର ମାମଲା: ଅଭିଯୁକ୍ତ କହିଲେ ମହିଳା ଡାକ୍ତରଙ୍କ ରକ୍ତ ଦେଖି…

କୋଲକାତା,୨ା୯: କୋଲକାତା ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟ ଦିନକୁ ଦିନ ନୂଆ ନୂଆ କଥା କହୁଛନ୍ତି। ସେ ତାଙ୍କ ଓକିଲ କବିତା ସାର୍କଙ୍କୁ କହିଛନ୍ତି, ମୁଁ ମହିଳା ଡାକ୍ତରଙ୍କୁ ହତ୍ୟା କରି ନାହିଁ। ତାଙ୍କର ରକ୍ତଭିଜା ଶରୀର ଦେଖି ମୁଁ ଦୌଡ଼ି ପଳାଇଥିଲି।

ପଲିଗ୍ରାଫ୍‌ ଟେଷ୍ଟ୍‌ ସମୟରେ ସଞ୍ଜୟଙ୍କୁ ୧୦ଟି ପ୍ରଶ୍ନ ପଚରାଯାଇଥିଲା, ଯେଉଁଥିରେ ସେ ମହିଳା ଡାକ୍ତରଙ୍କୁ ହତ୍ୟା କରିବା ପରେ କ’ଣ କରିଥିଲେ ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା। ସେ ସିବିଆଇ ଅଧିକାରୀମାନଙ୍କୁ କହିଥିଲେ ଯେ, ପ୍ରଶ୍ନଟି ଭୁଲ୍‌ ଥିଲା କାରଣ ସେ ତାଙ୍କୁ (ଟ୍ରେନିଂ ଡାକ୍ତର) ହତ୍ୟା କରିନାହାନ୍ତି।

ପଲିଗ୍ରାଫ୍‌ ପରୀକ୍ଷାରେ ସଞ୍ଜୟ ଦୃଢ଼ତାର ସହ କହିଛନ୍ତି ଯେ, ଡାକ୍ତରଖାନାର ସେମିନାର ହଲ୍‌ରେ ଟ୍ରେନି ମହିଳା ଡାକ୍ତର ଜଣକ ଚେତାଶୂନ୍ୟ ହୋଇପଡ଼ିଥିଲେ। ସଞ୍ଜୟ କହିଛନ୍ତି, ସେ ଏହି ଟ୍ରେନି ମହିଳା ଡାକ୍ତରଙ୍କୁ ଅଗଷ୍ଟ ୯ରେ ସେମିନାର ହଲ୍‌ରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଦେଖିଥିଲେ। ଏହା ପରେ ସେ ଭୟଭୀତ ହୋଇ କୋଠରୀରୁ ଦୌଡ଼ି ପଳାଇଥିଲେ।

ସଞ୍ଜୟ ଓକିଲ କହିଛନ୍ତି, ଯଦି ସେହି କୋଠରୀରେ କେହି ପ୍ରବେଶ କରିବା ଏତେ ସହଜ ହୋଇଥାନ୍ତା ତେବେ ସଞ୍ଜୟଙ୍କ ବ୍ୟତୀତ ଅନ୍ୟ କେହି ମଧ୍ୟ ସେଠାକୁ ଯାଇପାରିଥାନ୍ତି। ସଞ୍ଜୟ ଏହା ମଧ୍ୟ କହିଛନ୍ତି ଯେ, ସେ ପୀଡ଼ିତାଙ୍କୁ ଜାଣି ନାହାନ୍ତି ଏବଂ ତାଙ୍କୁ ଫସାଇ ଦିଆଯାଇଛି। ଯେତେବେଳେ ସେ ନିର୍ଦ୍ଦୋଷ ବୋଲି ପୋଲିସକୁ କାହିଁକି ଜଣାଇ ନାହାନ୍ତି ବୋଲି ପଚରାଯିବାରୁ ସଞ୍ଜୟ କହିଛନ୍ତି, ତାଙ୍କ କଥାକୁ କେହି ବିଶ୍ୱାସ କରିବେ ନାହିଁ ବୋଲି ସେ ଭୟ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ମାସରେ କୋଲକାତାର ଆର୍‌ଜି କର ହସ୍ପିଟାଲରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କ ଶରୀରରେ ଯୌନ ନିର୍ଯାତନା ଏବଂ ୨୫ଟି ବାହ୍ୟ-ଆଭ୍ୟନ୍ତରୀଣ ଆଘାତ ଦେଖିବାକୁ ମିଳିଥିଲା। ପ୍ରାରମ୍ଭିକ ଅନୁସନ୍ଧାନରେ ଅଭିଯୁକ୍ତ ସଞ୍ଜୟଙ୍କୁ ଅନେକ ପ୍ରମାଣ ଆଧାରରେ ଗିରଫ କରାଯାଇଥିଲା।

Share