Categories: ଜାତୀୟ

ସ୍କୁଲ ଶିକ୍ଷୟତ୍ରୀଙ୍କ ସହ ପୁଅକୁ ହତ୍ୟା

କୋଲକାତା,୭।୯: କୋଲକାତାର ବେହାଲା ପର୍ନାଶ୍ରୀ ଅଞ୍ଚଳ ସ୍ଥିତ ବହୁ ମହଲା ବିଲ୍ଡିଂର ଏକ ଫ୍ଲାଟ୍‌ରୁ ଉଦ୍ଧାର ହୋଇଛି ରକ୍ତ ଜୁଡ଼ୁବୁଡ଼ୁ ଜଣେ ସ୍କୁଲ ଶିକ୍ଷୟତ୍ରୀ ଓ ତାଙ୍କ ୧୪ ବର୍ଷୀୟ ପୁଅଙ୍କ ମୃତଦେହ। ମୃତ ମହିଳାଙ୍କ ସ୍ବାମୀ ଘରେ ପହଞ୍ଚିବା ପରେ ପୋଲିସକୁ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ।

ଫ୍ଲାଟର କବାଟ ଖୋଲା ଥିବା ବେଳେ ଭିତରେ ରୁମ୍‌ରେ ଖଟ ଉପରେ ସ୍କୁଲ ଡ୍ରେସରେ ପୁଅର ରକ୍ତ ଭିଜା ମୃତଦେହ ପଡ଼ିଥିଲା। ଚଟାଣରେ ପଡ଼ିଥିଲା ସ୍ତ୍ରୀଙ୍କ ମୃତଦେହ। ଦୁହିଁଙ୍କୁ କିଚେନ ଛୁରି ଭୁଷି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। କିନ୍ତୁ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି।

ଏହି ଘଟଣାରେ ସ୍ବାମୀ ଓ ପୁଅର ଟ୍ୟୁଶନ ସାରଙ୍କୁ ପଚରାଉଚୁରା କରାଯାଉଛି। ମୃତକଙ୍କ ସ୍ବାମୀଙ୍କ ପୂର୍ବରୁ ଘରକୁ ପ୍ରାୟ ସନ୍ଧ୍ୟା ୫ ଟାରେ ଆସିଥିଲେ ଟ୍ୟୁଶନ ସାର୍‌। କିନ୍ତୁ କବାଟ ବନ୍ଦ ଥିଲା। ବହୁ ସମୟ ଧରି କେହି କବାଟ ନ ଖୋଲିବାରୁ ସେ ଫେରି ଯାଇଥିଲେ ବୋଲି ସେ ପୋଲିସ ଆଗରେ କହିଛନ୍ତି। ମୃତ ମହିଳା ହତ୍ୟାକାରୀଙ୍କୁ ଜାଣିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।

Share