କୋଣାର୍କ,୯ା୧୨(ଡି.ଏନ୍.ଏ.): ପ୍ରକୃତିର ମଜା ନେବା ସହ କିଛି ଆଡଭେଞ୍ଚର ସ୍ପୋର୍ଟସର ଉପଭୋଗ କରିବା ପାଇଁ ବୁଧବାର ଆରମ୍ଭ ହୋଇଯାଇଛି ଇକୋ ରିଟ୍ରିଟ୍। ଚଳିତବର୍ଷ ରାଜ୍ୟରେ ମୋଟ ୫ଟି ସ୍ଥାନ ସହ ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ବେଳାଭୂମିରେ ଶୁଭାରମ୍ଭ ହୋଇଛି ଇକୋ ରିଟ୍ରିଟ। ପ୍ରାକୃତିକ ପରିବେଶ, ବିଳାସପୂର୍ଣ୍ଣ କଟେଜରେ ରାତ୍ରିଯାପନ ଅନନ୍ୟ ଅନୁଭୂତି ଆଣି ଦେଉଛି କୋଣାର୍କ ଇକୋ ରିଟ୍ରିଟ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ଜରିଆରେ ଉଦ୍ଘାଟିତ କରି ପର୍ଯ୍ୟଟକଙ୍କ ପାଇଁ ବାର୍ତ୍ତା ଦେଇଥିଲେ। ସେହିଭଳି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ ମାଧ୍ୟମରେ ଉଦ୍ବୋଧନ ଦେବା ସହ ଗତବର୍ଷ ହୋଇଥିବା କୋଣାର୍କ ଇକୋ ରଟ୍ରିଟର ସଫଳତା ବିଷୟରେ କହିଥିଲେ। ଏଥର ଓଡ଼ିଶାର ୫ଟି ଜାଗାରେ ଏହି ଉତ୍ସବ ହୋଇଥିବାରୁ ପର୍ଯ୍ୟଟନ ବିଭାଗ ପାଇଁ ଏହା ଏକ ବଡ଼ ସୁଯୋଗ ବୋଲି ବାର୍ତ୍ତା ଦେଇଥିଲେ। ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପର୍ଯ୍ୟଟନ ସଚିବ ବିଶାଲ ଦେବ, ଜଗତ୍ସିଂହପୁର ଏମ୍ପି ରାଜଶ୍ରୀ ମଲ୍ଲିକ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ବେଲୁନ ଉଡ଼ାଇ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିଥିଲେ।