Categories: ଖେଳ

କୋରାପୁଟ ଚାମ୍ପିୟନ

ଭୁବନେଶ୍ୱର,୨୧।୧୧(କ୍ରୀଡ଼ା ପ୍ରତିନିଧି): ପୁରୁଣାଭୁବନେଶ୍ବରସ୍ଥିତ ମୂଳାପଡିଆରେ ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି। ରାଜ୍ୟ ଦୃଷ୍ଟିବାଧିତ କ୍ରିକେଟ ସଂଘ (କାଭି) ଏବଂ ଦୟାଭାବ ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ କୋରାପୁଟ ଚାମ୍ପିୟନ ହୋଇଛି। ଫାଇନାଲରେ କୋରାପୁଟ ପ୍ରତିପକ୍ଷ ମୟୂରଭଞ୍ଜକୁ ୧୦୧ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କୋରାପୁଟ ଦଳ ୨୦ ଓଭରରେ ୩ ଉଇକେଟ ହରାଇ ୨୯୫ ରନ୍‌ କରିଥଲା। ସୁଖରାମ ମାଝି ୧୨୫, ଧନପତି ଗୌଡ଼ ୭୬ ଓ ଅର୍ଜୁନ ଭତରା ୩୬ ରନ କରିଥିଲେ।

ଜବାବରେ ମୟୂରଭଞ୍ଜ ୨୦ ଓଭରରେ ୪ ଉଇକେଟ ହରାଇ ୧୯୫ ରନ କରିବାକୁ ସକ୍ଷମ ହୋଇଥିଲା। ସୁଖରାମ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହା ବ୍ୟତୀତ ବି-୧ ବର୍ଗରେ ଦେବରାଜ ବେହେରା, ବି-୨ରେ ଅଞ୍ଜନ ସିଂ, ବି-୩ରେ ଧନପତି ଗୌଡ଼ଙ୍କୁ ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ସେହିପରି ବିଭିନ୍ନ ବର୍ଗରେ ହିକିମ ମୁର୍ମୁ, ଚନ୍ଦନ କାଲସା ଏବଂ ସୁଖରାମ ମାଝୀ ଶ୍ରେଷ୍ଠ ବୋଲର ବିବେଚିତ ହୋଇଥିଲେ। ଉଦଯାପନୀ ଉତ୍ସବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି ଏବଂ ଶିଶୁ ଓ ମହିଳା ଉନ୍ନୟନ ସୋସାଇଟିର ଅଧ୍ୟକ୍ଷା ମେଜର କଳ୍ପନା ଦାସ, ଭୁବନେଶ୍ୱର ଆଥେଲେଟିକ୍‌ ଆସୋସିଏଶନ ସମ୍ପାଦକ ସୌର୍ଯ୍ୟ ରଞ୍ଜନ ପରିଜା, ଭୁବନେଶ୍ୱର ଟାଉନ୍‌ କ୍ଲବର ସମ୍ପାଦକ ପୃଥ୍ବୀକାନ୍ତ ମହାପାତ୍ର, ନିହାର କାନ୍ତ ପଟ୍ଟନାୟକ, ରାଧାନାଥ ମହାପାତ୍ର, ରଜନୀ କାନ୍ତ ମିଶ୍ର, ଚିଦାତ୍ମିକା ଖଟୁଆ ଏବଂ କାଭି ଓଡ଼ିଶାର ସମ୍ପାଦକ ସନ୍ନ୍ୟାସୀ କୁମାର ବେହେରା ପ୍ରମୁଖ ସମ୍ମାତିତ ଅତିଥି ଭାବରେ ଯୋଗ ଦେଇ କୃତି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ କାଭି ଓଡ଼ିଶାର ସଭାପତି ମହମ୍ମଦ ଜାଫର ଇକବାଲ ସଂଯୋଜନା କରିଥିଲେ।

 

Share