ବିଦେଶରେ ବି ମିଳିବ ‘କୋରାପୁଟ କଫି’

ଭୁବନେଶ୍ୱର,୮।୮(ବ୍ୟୁରୋ): ଏଣିକି ଦେଶ ବିଦେଶରେ ମହକିବ କୋରାପୁଟର କଫି। ଜିଲାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଦେଶ ବିଦେଶର କୋଣ ଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି ଚାଷୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ୍‌ କୋଅପରେଶନ ଅଫ୍‌ ଓଡ଼ିଶା ଲିମିଟେଡ୍‌(ଟିଡିସିସିଓଏଲ)ର ପ୍ରୟାସରେ କୋରାପୁଟ କଫିର ବିକ୍ରି ପାଇଁ ‘ଟାଟା କଫି’ ସହମତି ପ୍ରକାଶ କରିଛି। ଏହାର ସ୍ବତନ୍ତ୍ରତାକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ ଟାଟା କଫି ପ୍ରଥମଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି।

କୋରାପୁଟରେ କଫି ଚାଷକୁ ବ୍ୟାପକ ତଥା ସମୃଦ୍ଧ କରିବାରେ କଫି ଚାଷୀଙ୍କ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କସମପଦର ଗାଁର ସୁଲୋଚନା ଖରଙ୍କୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଲୋଚନା ଟିଡିସିସିଓଏଲ୍‌କୁ ୨୦୦ କେଜିରୁ ଊର୍ଦ୍ଧ୍ୱ କଫି ଫଳ ବିକ୍ରି କରି ସଫଳ କଫି ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ‘କୋରାପୁଟ କଫି’ର ଚାହିଦା ପୂରଣରେ ତାଙ୍କପରି ଚାଷୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ। କଫି ଚାଷୀଙ୍କ ଆର୍ଥିକ-ସାମାଜିକ ଉନ୍ନତି ପାଇଁ ରାଜ୍ୟ ସରକାର କରୁଥିବା ପ୍ରୟାସରେ ‘ଟାଟା କଫି’ର ସହଯୋଗ ସେମାନଙ୍କ କଲ୍ୟାଣରେ ସହାୟକ ହେବ। କୋଭିଡ୍‌ ସଙ୍କଟ ସମୟରେ ଆଦିବାସୀଙ୍କ ଜୀବନ ଜୀବିକା ସୁରକ୍ଷିତ କରିବାରେ ଏହା ବଡ଼ ଗୁରୁତ୍ୱ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share