Categories: ଖେଳ

କୋରୋ ସିଂ ଭାରତର ଅଧିନାୟକ

ଖାଓ ୟାଇ (ଥାଇଲାଣ୍ଡ), ୧୪ା୬(ପି.ଟି.): ପ୍ରତିଭାବାନ ମିଡ୍‌ଫିଲ୍ଡର କୋରୋ ସିଂଙ୍କୁ ଏଏଫ୍‌ସି ଏସିଆନ ୧୭ ବର୍ଷରୁ କମ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ନିକଟ ଅତୀତରେ ୟୁରୋପ ଗସ୍ତରେ ଭଲ ପ୍ରଦର୍ଶନ କରିଥିବା ୧୬ ବର୍ଷୀୟ କୋରୋଙ୍କୁ ମଙ୍ଗଳବାର ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ସ୍ପେନ୍‌ ଓ ଜର୍ମାନୀ ଗସ୍ତ ସମୟରେ ଆଟଲେଟିକୋ ଡେ ମାଡ୍ରିଡ୍‌, ରିୟଲ ମାଡ୍ରିଡ, ଭିଏଫ୍‌ବି ଷ୍ଟୁଟଗାର୍ଟ ଓ ଏଫ୍‌ସି ଅଗସବର୍ଗ ଭଳି ଦଳ ବିପକ୍ଷରେ ସେ ଚମତ୍କାର ପ୍ରଦର୍ଶନ ଦେଇଥିଲେ। ୧୦ ଅଭ୍ୟାସ ମ୍ୟାଚରେ ସେ ୩ଟି ଗୋଲ ସ୍କୋର କରିବା ସହିତ ୫ଟି ଆସିଷ୍ଟ କରିଥିଲେ। ଏହା ପରେ ଥାଇଲାଣ୍ଡରେ ପହଞ୍ଚିବା ପରେ ଦଳ ଖେଳିଥିବା ଦୁଇଟି ଅଭ୍ୟାସ ମ୍ୟାଚରେ ସେ ଗୋଟିଏ ଲେଖାଏ ଗୋଲ ଓ ଆସିଷ୍ଟ କରିଥିଲେ। ଏଏଫ୍‌ସି ଏସିଆନ୍‌ ୧୭ ବର୍ଷରୁ କମ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତର ନେତୃତ୍ୱ ନେବା ନିଶ୍ଚିତ ଭାବରେ ଏକ ବୃହତ୍‌ ଉପଲବ୍ଧି। ତେବେ କୋରୋଙ୍କ ନିକଟରେ ଭାରତୀୟ ଦଳର ନେତୃତ୍ୱ ନେବାର ଦକ୍ଷତା ରହିଛି ବୋଲି କହିଛନ୍ତି ଭାରତୀୟ ଦଳର ମୁଖ୍ୟ କୋଚ୍‌ ବିବିଆନୋ ଫର୍ନାଣ୍ଡେସ୍‌।
ଭାରତୀୟ ଦଳ ବର୍ତ୍ତମାନ ଥାଇଲାଣ୍ଡର ଖାଓ ୟାଇ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଅଭ୍ୟାସ କରୁଛି। ଜୁନ୍‌ ୧୪ ତାରିଖରେ ଦଳ ବ୍ୟାଙ୍କକ୍‌ ଅଭିମୁଖେ ଯାତ୍ରା କରିବ। ଏଏଫ୍‌ସି ଏସିଆନ୍‌ରେ ଭାରତ ଗ୍ରୁପ୍‌ ଡି’ରେ ଭିଏଟ୍‌ନାମ, ଉଜବେକିସ୍ତାନ ଓ ଜାପାନ ସହିତ ସ୍ଥାନ ପାଇଛି। ଜୁନ୍‌ ୧୭ରେ ଭିଏଟ୍‌ନାମ, ଜୁନ୍‌ ୨୦ରେ ଉଜ୍‌ବେକିସ୍ତାନ ଓ ଜୁନ୍‌ ୨୩ରେ ଜାପାନ ବିପକ୍ଷରେ ଭାରତ ଏହାର ମ୍ୟାଚ୍‌ ଖେଳିବ।
ସାଫ୍‌ ଓ ଏଏଫ୍‌ସି ଯୋଗ୍ୟତାପର୍ଯ୍ୟାୟ ଟୁର୍ନାମେଣ୍ଟରେ ବନଲାଲପେକା ଗୁଇଟେଙ୍କୁ ଦଳର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ଦେଢ ବର୍ଷ ମଧ୍ୟରେ ନିୟମିତ ଭାବରେ ଅଧିନାୟକ ପରିବର୍ତ୍ତନ କରାଯାଉଛି ବୋଲି କହିଛନ୍ତି ବିବିଆନୋ।

Share