ଛାତ୍ରୀଛାତ୍ରଙ୍କ ପାଇଁ ପ୍ରକାଶ ପାଇଲା କୋଶ୍ଚିନ ବ୍ୟାଙ୍କ

ଭୁବନେଶ୍ୱର, ୮।୧୦(ଅସମାପିକା ସାହୁ)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବା ଦ୍ୱାଦଶ ପରୀକ୍ଷା ୨୦୨୪ ଫେବୃୟାରୀ ୧୪ରୁ ଆରମ୍ଭ ହେବ। ଏଥିପାଇଁ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ଯୁକ୍ତ୨ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରଙ୍କ ପାଇଁ ପରିଷଦ ଆଣିଛି ଖୁସି ଖବର। ପ୍ରଥମଥର ପାଇଁ ପରିଷଦ ପକ୍ଷରୁ କୋଶ୍ଚିନ ବ୍ୟାଙ୍କ ପ୍ରକାଶ କରାଯାଇଛି। ଛାତ୍ରୀଛାତ୍ର ଏହି କୋଶ୍ଚିନ ବ୍ୟାଙ୍କ୍‌ରୁ ପ୍ରଶ୍ନ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ। ସିବିଏସ୍‌ଇ ଓ ସିଆଇଏସ୍‌ସିଇ ବୋର୍ଡ ପକ୍ଷରୁ ପ୍ରତିବର୍ଷ କୋଶ୍ଚିନ ବ୍ୟାଙ୍କ୍‌ ଜାରି କରାଯାଇଥାଏ। ଏହା ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତିରେ ସହାୟକ ହୁଏ। ଏହାକୁ ଦୃଷ୍ଟିରେ ରଖି ସିଏଚ୍‌ଏସ୍‌ଇ ପକ୍ଷରୁ ଏହି କୋଶ୍ଚିନ ବ୍ୟାଙ୍କ ପ୍ରସ୍ତୁତ କରାଯାଇଛି। କୋଶ୍ଚିନ ବ୍ୟାଙ୍କ୍‌ chseodisha.nic.in ୱେବ୍‌ସାଇଟରେ ଉପଲବ୍ଧ ଅଛି। ପ୍ରଥମ ପର୍ଯ୍ୟାୟରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ବାୟୋଲୋଜିରେ କୋଶ୍ଚିନ ବ୍ୟାଙ୍କ ଉପଲବ୍ଧ ହୋଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ସମସ୍ତ ବିଷୟର ପ୍ରଶ୍ନ ଅପ୍‌ଲୋଡ୍‌ କରାଯିବ। ତେବେ କୋଶ୍ଚିନ ବ୍ୟାଙ୍କ୍‌ ନେଇ ଛାତ୍ରୀଛାତ୍ରଙ୍କୁ ସଚେତନ କରିବାକୁ ରାଜ୍ୟର ସମସ୍ତ ଯୁକ୍ତ୨ କଲେଜ ଅଧ୍ୟକ୍ଷଙ୍କୁ ସିଏଚ୍‌ଏସ୍‌ଇ ପକ୍ଷରୁ ଚିଠି ଲେଖାଯାଇଛି।
ଯୁକ୍ତ୨ ଦ୍ୱିତୀୟ ବର୍ଷ ଥିଓରି ପରୀକ୍ଷା ଫେବୃୟାରୀ ୧୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ’ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ଜାନୁୟାରୀ ପ୍ରଥମ ସପ୍ତାହରୁ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ଥିଓରି ପରୀକ୍ଷାର ଗୋଟିଏ ମାସ ପୂର୍ବରୁ ୨୦୨୪ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଦ୍ୱିତୀୟ ବର୍ଷ ରେଗୁଲାର ଛାତ୍ରୀଛାତ୍ରଙ୍କ ଅନ୍‌ଲାଇନ୍‌ ଫର୍ମ ପୂରଣ ଆସନ୍ତା ନଭେମ୍ବର ୧୦ରୁ ଆରମ୍ଭ ହୋଇ ୨୫ରେ ଶେଷ ହେବ।

Share