କୋଶିୟାରୀଙ୍କ ଚିଠି

ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଲେଖିଥିବା ଏକ ଚିଠିରେ ରାଜ୍ୟର ମନ୍ଦିରଗୁଡ଼ିକୁ ଖୋଲାଯାଉ ନ ଥିବାରୁ ସମାଲୋଚନା କରିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ଗୋଟେ ସମୟରେ ଉଦ୍ଧବ ‘ହିନ୍ଦୁତ୍ୱ’ର ଦୃଢ଼ ସମର୍ଥକ ଥିଲେ। ଏବେ ଧର୍ମନିରପେକ୍ଷ ହୋଇଯାଇଛନ୍ତି, ଯେଉଁ ଶବ୍ଦକୁ ସେ ଘୃଣା କରୁଥିଲେ। ମୁଖ୍ୟମନ୍ତ୍ରୀ ଠାକ୍‌ରେ ଏହାର ଜବାବ ଦେବାକୁ ଯାଇ କହିଥିଲେ ଯେ, ତାଙ୍କର କାହାଠାରୁ ହିନ୍ଦୁତ୍ୱ ସାର୍ଟିଫିକେଟ ଲୋଡ଼ା ନାହିଁ। ମୁମ୍ବାଇକୁ ପିଓକେ ସହ ତୁଳନା କରିଥିବା ଲୋକଙ୍କୁ ସ୍ବାଗତ କରିଥିବା ବ୍ୟକ୍ତିଙ୍କ ସହ ତାଙ୍କ ହିନ୍ଦୁତ୍ୱ ମେଳ ଖାଉନାହିଁ ବୋଲି ସେ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ପ୍ରସଙ୍ଗ ନେଇ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଓ ଶିବ ସେନା ନେତାଙ୍କ ମଧ୍ୟରେ ହୋଇଥିବା ବାକ୍‌ଯୁଦ୍ଧ ପରିପ୍ରେକ୍ଷୀରେ କଙ୍ଗନା ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ବୋଲି କହିଥିଲେ। ତେବେ କୋଭିଡ୍‌-୧୯ ଯୋଗୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉଦ୍ଧବ ତତ୍‌କ୍ଷଣାତ୍‌ ମନ୍ଦିରଗୁଡ଼ିକୁ ଖୋଲିବାକୁ ଅମଙ୍ଗ ହେଉଛନ୍ତି। ଅନ୍ୟପକ୍ଷରେ କୋଶିୟାରୀ ‘ହିନ୍ଦୁତ୍ୱ’ ଓ ‘ଧର୍ମନିରପେକ୍ଷତା’ ବିଷୟ ଉତ୍‌ଥାପନ କରି ତାଙ୍କ ସାମ୍ବିଧାନିକ ପଦମର୍ଯ୍ୟାଦାହାନି କରିଛନ୍ତି। ଭାରତୀୟ ସମ୍ବିଧାନରେ ‘ଧର୍ମନିରପେକ୍ଷତା’ର ଗୁରୁତ୍ୱ ଅନେକ ରହିଛି। ସେହି ଦୃଷ୍ଟିରୁ ଦେଖିଲେ ଠାକ୍‌ରେଙ୍କୁ କୋଶିୟାରୀ ଯେଭଳି କଟାକ୍ଷ କରିଛନ୍ତି, ତାହା ଦ୍ୱାରା ରାଜ୍ୟପାଳ ପଦମଣ୍ଡନ କରିବା ଲାଗି ସେ କେତେ ଯୋଗ୍ୟ ବିଚାର କରାଯିବା ଦରକାର। ଜଣେ ବ୍ୟକ୍ତି ଯେତେବେଳେ ସାମ୍ବିଧାନିକ ପଦବୀକୁ ଉନ୍ନୀତ ହୋଇଥାଆନ୍ତି, ସେତେବେଳେ ସେ ଯେଉଁ ଦଳରେ ଯେତେବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ନିରପେକ୍ଷତା ଅବଲମ୍ବନ କରିବା ବାଞ୍ଛନୀୟ। ଏଠାରେ କୋଶିୟାରୀ ତାଙ୍କ ଚିଠିରେ ଯେଉଁ ଭାଷା ବ୍ୟବହାର କରିଛନ୍ତି, ତାହା ଏକ ଦଳୀୟ ନିର୍ଦ୍ଦେଶ ଭଳି ପ୍ରତୀୟମାନ ହେଉଛି। ଏଥିରୁ ବୁଝିବାକୁ ହେବ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟପାଳ ଭାବେ କୋଶିୟାରୀଙ୍କ ଭଳି ଯେଉଁ ରାଜନେତାମାନଙ୍କୁ ଥଇଥାନ କରାଯାଇଛି, ସେମାନେ କେବେ ହେଲେ ସାମ୍ବିଧାନିକ ଗରିମା ଓ ମର୍ଯ୍ୟାଦା ରକ୍ଷା କରିପାରିବେ ନାହିଁ। ମହାମାରୀ ସମୟରେ ଧର୍ମ ଓ ରାଜନୀତିକୁ ନେଇ ବିଭ୍ରାଟ ସୃଷ୍ଟି କରୁଥିବା ବ୍ୟକ୍ତିମାନେ ଗଣତନ୍ତ୍ର ପାଇଁ ବିପଦ ଭାବେ ଉଭା ହୋଇଛନ୍ତି। ଏଥିରେ ତୁରନ୍ତ ପରିବର୍ତ୍ତନ ଲୋଡ଼ା।