କୋଟିଆ ବିବାଦ: ଆନ୍ଧ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨ା୯:କୋଟିଆର କେତେକ ଗ୍ରାମକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗିରହିଛି। ଓଡ଼ିଶା ସରକାରଙ୍କ ମୂଳ ପିଟିଶନ ଉପରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ଶୁଣାଣି ବେଳେ ଉପସ୍ଥିତ ହୋଇ ନ ଥିବାରୁ ଓଡ଼ିଶା ସରକାରଙ୍କୁ ମଧ୍ୟ ସର୍ବୋଚ୍ଚ ଅଦାଲତ ନୋଟିସ ଜାରି କରିଛନ୍ତି। ବିବାଦୀୟ କୋଟିଆ ଗ୍ରାମସମୂହକୁ ଦଖଲକୁ ନେବା ସହ ଶାସନ କରିବାର ସମ୍ପୂର୍ଣ୍ଣ ଅଧିକାର ଓଡ଼ିଶାର ରହିଥିବା ନେଇ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଥିଲା। ଏହା ଉପରେ ଆନ୍ଧ୍ରପ୍ରଦେଶ ସରକାର ୮ ସପ୍ତାହ ମଧ୍ୟରେ ଲିଖିତ ବିବୃତି ଏବଂ ଜବାବ ଦାଖଲ କରିବାକୁ ଜଷ୍ଟିସ ସଞ୍ଜୟ କାରୋଲଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୩କୁ ଧାର୍ଯ୍ୟ ହୋଇଛି।
କୋଟିଆ ସୀମା ବିବାଦ ମାମଲାରେ ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ର ହାଜର ହେଉଥିଲେ। ଏବେ ସେ ଓଡ଼ିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତ ହୋଇ ଗତ ୫ ତାରିଖରେ ଶପଥ ଗ୍ରହଣ କରିଛନ୍ତି। ସେଥିପାଇଁ ସୋମବାରର ଶୁଣାଣି ବେଳେ ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ କେହି ଉପସ୍ଥିତ ହୋଇ ନ ଥିଲେ।

Share