ଆଜି କୋଟିଆ ଶୁଣାଣି

ନୂଆଦିଲ୍ଲୀ, ୧୨।୨:କୋରାପୁଟ୍‌ ଜିଲାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ କରାଉଥିବାରୁ ଏହା ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ନେଇ ପିଟିଶନ ଦାଏର କରିଥିଲେ। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଶୁକ୍ରବାର ଏହାର ଶୁଣାଣି କରିବେ। ଓଡ଼ିଶା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂ ପିଟିଶନର ଶୀଘ୍ର ଶୁଣାଣି ପାଇଁ ତାଲିକାଭୁକ୍ତ କରାଇଛନ୍ତି। ନିର୍ବାଚନ ପାଇଁ ଆନ୍ଧ୍ରପ୍ରଦେଶ ଜାରି କରିଥିବା ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଲଗାଯିବା ସହ ଅଦାଲତ ଅବମାନନା ମାମଲା ଚଳାଇବାକୁ ଓଡ଼ିଶା ଦାବି କରିଛି।
ଓଡ଼ିଶା ସୀମା ଭିତରେ ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ ବିରୋଧରେ ସୁପ୍ରିମକୋର୍ଟ ୧୯୬୮ ଡିସେମ୍ବର ୨ ଏବଂ ୨୦୦୬ ମାର୍ଚ୍ଚ ୩୦ରେ ରାୟ ଦେଇଥିଲେ। ଆନ୍ଧ୍ର ସରକାର ଜାଣିଶୁଣି ଏହାର ଉଲ୍ଲଂଘନ କରିଥିବା ପିଟିଶନରେ ଦର୍ଶାଯାଇଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ର ଅଦାଲତ ଅବମାନନା ପିଟିଶନ ଦାଏର କରିଛନ୍ତି। ସୂଚନାଯୋଗ୍ୟ ୧୯୬୮ ଏବଂ ୨୦୦୬ରେ ସର୍ବୋଚ୍ଚ ଅଦାଲତ ଉଭୟ ରାଜ୍ୟକୁ ସୀମା ବିବାଦ ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଉଲ୍ଲଂଘନ କରିଥିବା ଆନ୍ଧ୍ର ସରକାରଙ୍କୁ ନୋଟିସ ଜାରି କରିବା ଲାଗି ଓଡ଼ିଶା ସରକାର ଅଦାଲତଙ୍କୁ ଅନୁରୋଧ କରିଛନ୍ତି।
ପିଟିଶନ ଅନୁଯାୟୀ ଆନ୍ଧ୍ର ସରକାର ଗତବର୍ଷ ମାର୍ଚ୍ଚ ୫ରେ ବିଜିଆନଗରମ୍‌ ଜିଲାରେ ପଞ୍ଚାୟତ ନିର୍ବାଚନ କରିବା ଲାଗି ବିଜ୍ଞପ୍ତି ଜାରି କରିଥିଲେ। ନୋଟିସ୍‌ରେ ଆନ୍ଧ୍ର ସରକାର ଜାଣିଶୁଣି କୋରାପୁଟର କୋଟିଆ ଜନଜାତି ରହୁଥିବା ୩ଟି ଗ୍ରାମକୁ ବିଜିଆନଗରମ୍‌ ଜିଲାର ସାଲୁର ମଣ୍ଡଳରେ ସାମିଲ କରିଛନ୍ତି। ଉକ୍ତ ୩ ଗ୍ରାମର ନାଁକୁ ମଧ୍ୟ ଆନ୍ଧ୍ର ବଦଳାଇ ଦେଇଛି।

Share