କୁହାଟୁଛି କୋଟିଆ

ଡ.ପ୍ରଫୁଲ୍ଲ କୁମାର ସାହୁ

ଆନ୍ତଃରାଜ୍ୟ ସୀମା ବିବାଦରେ ଛନ୍ଦିହୋଇ କୁହାଟୁଛି କୋଟିଆ। ଓଡ଼ିଶା କହୁଛି କୋଟିଆ ଆମର। ସମାନ ଦାବି କରୁଛି ଆନ୍ଧ୍ର। ଓଡ଼ିଶାର ପ୍ରଶାସନିକ ମାନଚିତ୍ର ଅନୁସାରେ କୋଟିଆ ପଞ୍ଚାୟତ ରହିଛି କୋରାପୁଟ ଜିଲାର ପଟାଙ୍ଗି ବ୍ଲକ ଅଧୀନରେ। ୨୮ଟି ରାଜସ୍ବ ଗ୍ରାମକୁ ନେଇ ଗଠିତ ଏହି ପଞ୍ଚାୟତର ଲୋକସଂଖ୍ୟା ଆଠ ହଜାରରୁ ଅଧିକ। ଆନ୍ଧ୍ରର ଦାବି ଅନୁସାରେ ଏହି ୨୮ ରାଜସ୍ବ ଗ୍ରାମ ମଧ୍ୟରୁ ୨୧ଟି ରହିଛି ବିଜୟନଗରମ୍‌ ଜିଲା ସାଲୁର ମଣ୍ଡଳ ଅନ୍ତର୍ଗତ ଫଗୁଣସିନେରି, ଫାଟୁସିନେରି ଓ ଗଞ୍ଜେଇ ପଦର ପଞ୍ଚାୟତ ଅଧୀନରେ। ବିବାଦୀୟ ୨୧ ଟି ଗାଁକୁ ନେଇ ଉଭୟ ରାଜ୍ୟ ଏବେ ମୁହଁାମୁହିଁ। ପୂର୍ବରୁ ଏ ନେଇ ପରସ୍ପର ଭିତରେ ବହୁବାର ଆଲୋଚନା ହୋଇଥିଲେ ବି ଖୋଲିଲାନି ସମାଧାନର ବାଟ। ଫଳରେ ମାମଲା ପହଞ୍ଚିଥିଲା ସର୍ବୋଚ୍ଚ ନ୍ୟାୟାଳୟରେ। ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇନି ସତ, ହେଲେ ସ୍ଥିତାବସ୍ଥା ବଜାୟ ରଖିବା ନିମନ୍ତେ ରହିଛି (୧୯୬୮)ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ। ମାତ୍ର ବିଡ଼ମ୍ବନାର ବିଷୟ ନ୍ୟାୟାଳୟର ନିର୍ଦ୍ଦେଶକୁ ବେଖାତିର କରି କୋଟିଆ ଉପରେ ଦଖଲ ସାବ୍ୟସ୍ତ କରିବା ପାଇଁ ବାରମ୍ବାର ଚେଷ୍ଟା କରୁଛି ଆନ୍ଧ୍ର।
ଆନ୍ଧ୍ରର କୋଟିଆ ଗ୍ରାମପୁଞ୍ଜକୁ ଅକ୍ତିଆର କରିବା ପାଇଁ ଦୀର୍ଘଦିନରୁ ଜାରି ରଖିଛି ପ୍ରୟାସ। ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରି ଛିଡ଼ା କରୁଛି ବିବାଦ। ମାତ୍ର କୋଟିଆର ଇତିହାସ, ଭୂଗୋଳ ତଥା ସରକାରୀ ଦସ୍ତାବିଜ କହୁଛି କୋଟିଆ ଓଡ଼ିଶାର ଅବିଚ୍ଛେଦ ଅଙ୍ଗ। ତା’ର ପ୍ରମାଣ ହେଉଛି ୧୯୩୬ର ନକ୍ସା। ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବାର ୨୦ ବର୍ଷ ପରେ ଆନ୍ଧ୍ରର ଜନ୍ମ। ଅଥଚ ଓଡ଼ିଶା ପାଖରୁ କୋଟିଆକୁ ଛଡ଼େଇ ନେବାପାଇଁ କେତେବେଳେ ସେଠାରେ ପଞ୍ଚାୟତ ନିର୍ବାଚନ କରାଉଛି ତ କେତେବେଳେ ଗାଁ ମୁଣ୍ଡରେ ଲଗାଉଛି ତେଲୁଗୁ ଭାଷାରେ ନାମଫଳକ। କେବଳ ଫଳକ ଲଗାଉ ନାହିଁ, ଗାଁର ନଁା ବି ବଦଳାଇ ନୂଆ ନାମକରଣ କରୁଛି । ୨୦୧୧ ଜନଗଣନା କହୁଛି ସେଠାକାର ଲୋକମାନେ ଓଡ଼ିଶାର ଅଧିବାସୀ। ତେଣୁ ଖାଦ୍ୟ ସୁରକ୍ଷା ଆଇନ ବଳରେ ଓଡ଼ିଶା ସରକାର ସେମାନଙ୍କୁ ଚାଉଳ ଓ ଗହମ ଇତ୍ୟାଦି ରାଶନ ସାମଗ୍ରୀ ଯୋଗାଇ ଦେଉଛନ୍ତି।
ମାତ୍ର କୋଟିଆବାସୀଙ୍କୁ ନିଜ ରାଜ୍ୟର ବୋଲି ପ୍ରମାଣ କରିବା ପାଇଁ ଆନ୍ଧ୍ର ସରକାର ବି ସେମାନଙ୍କୁ ଚାଉଳ, ଡାଲି, ଖାଇବାତେଲ ଓ କିରୋସିନ, ସୋଲାର ଲାଇଟ ଓ କମ୍ବଳ ଇତ୍ୟାଦି ମାଗଣାରେ ବାଣ୍ଟୁଛନ୍ତି।
ବାର୍ଦ୍ଧକ୍ୟ ଭତ୍ତା ବାବଦରେ ଓଡ଼ିଶା ସେଠାରେ ହିତାଧିକାରୀଙ୍କୁ ୫୦୦ଟଙ୍କା ଦେଉଥିବା ବେଳେ ଆନ୍ଧ୍ର ଦେଉଛି ଦୁଇ ହଜାର ଟଙ୍କା। ଆନ୍ଧ୍ରର ଏଭଳି ଉଦ୍ଦେଶ୍ୟମୂଳକ ବଦାନ୍ୟତା କାରଣରୁ ଉଭୟ ରାଜ୍ୟରୁ ରାଶନ ଓ ଅନ୍ୟାନ୍ୟ ସାମଗ୍ରୀ ହାତେଇ ପାରୁଛନ୍ତି କୋଟିଆବାସୀ। ତେଣୁ ଉଭୟ ରାଜ୍ୟ ପ୍ରତି ସେମାନଙ୍କର ଆନୁଗତ୍ୟ ରହୁଛି। ବିଶେଷକରି ଆନ୍ଧ୍ର ପାଖରୁ ଅଧିକ ସହାୟତା ପାଉଥିବାରୁ ସେଆଡ଼କୁ ବେଶି ଢଳିବା ସ୍ବାଭାବିକ। ଏହାକୁ କେହି ହୁଏତ ସେମାନଙ୍କ ସୁବିଧାବାଦୀ ମାନସିକତା କହିପାରେ, ମାତ୍ର ବାସ୍ତବ ସ୍ଥିତି କହୁଛି ସୀମା ବିବାଦ ପାଇଁ ସାଂଘାତିକ ଭାବରେ ଫସିଛନ୍ତି ସେଠାକାର ଜନଜାତିର ଲୋକେ। ଚାଉଳ ଗହମ ହେଉ କି ଅନ୍ୟ କିଛି ହେଉ, ସେଠାରେ ଲୋକଙ୍କୁ ମାଗଣା ବାଣ୍ଟିବାରେ ଆନ୍ଧ୍ର ଓଡ଼ିଶାଠାରୁ ଆଗରେ ଅଛି ସତ, ହେଲେ କୌଣସି ଦୀର୍ଘ ମିଆଦୀ ବିକାଶ ପାଇଁ ପ୍ରସ୍ତୁତ କରୁନି ଯୋଜନା। କାରଣ କୋଟିଆକୁ ନେଇ କୋର୍ଟ ଏଯାଏ ଶୁଣାଇନାହିଁ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି। ଏପଟେ ଓଡ଼ିଶା ସରକାରଙ୍କ ଅବହେଳା ଯୋଗୁ ବିକାଶ ସେଠାରେ ଅପହଞ୍ଚ। କୋଟିଆ ପଞ୍ଚାୟତର ଅଧିକାଂଶ ଗାଁକୁ ସବୁଦିନିଆ ରାସ୍ତା ନାହିଁ କି ସବୁ ଗାଁକୁ ଯୋଗାଇ ଦିଆଯାଇପାରିନି ପାନୀୟ ଜଳ। ଶିକ୍ଷା ଓ ସ୍ବାସ୍ଥ୍ୟସେବାର ଭିତ୍ତିଭୂମି ମଧ୍ୟ ଅତ୍ୟନ୍ତ ଦୁର୍ବଳ। ଓଡ଼ିଶା ସରକାରଙ୍କ ଏହି ଅବହେଳାର ସୁଯୋଗ ନେଇ କୋଟିଆବାସୀଙ୍କୁ ନିଜ ଆଡ଼କୁ ଟାଣିବାରେ ସକ୍ଷମ ହେଉଛି ଆନ୍ଧ୍ର। ଏହି ପରିପ୍ରେକ୍ଷୀରେ ମନେରଖିବା ଦରକାର ସୀମାନ୍ତରେ ଅବସ୍ଥିତ କୌଣସି ବିବାଦୀୟ ଅଞ୍ଚଳ ଉପରେ ଅଧିକାର ସାବ୍ୟସ୍ତ କରିବା ପାଇଁ କେବଳ କିଛି ଦସ୍ତାବିଜ ନୁହେଁ, ସେ ଅଞ୍ଚଳର ଲୋକଙ୍କ ମନ ଜିଣିବା ଆବଶ୍ୟକ।
ଇତିହାସ କହେ ଆଫଗାନ, ମୋଗଲ ଓ ମରହଟ୍ଟା ଶାସନ ପରେ ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ। କଟକ, ପୁରୀ ଓ ବାଲେଶ୍ୱରକୁ ନେଇ ଗଠିତ ଓଡ଼ିଶା ଡିଭିଜନକୁ ନିଜ ଶାସନାଧୀନ ରଖି ଦେଶୀୟ ରାଜ୍ୟ ସହ ଅନେକ ଅଞ୍ଚଳ ମିଶାଇ ଦେଲେ ପଡ଼ୋଶୀ ପ୍ରଦେଶ ସହିତ। ମଧ୍ୟପ୍ରଦେଶରେ ମିଶିଲା କଳାହାଣ୍ଡି, ପାଟଣା, ସୋନପୁର, ସମ୍ବଲପୁର ଓ ବାମଣ୍ଡା ଆଦି ରାଜ୍ୟ। ମେଦିନପୁର ରହିଲା ବଙ୍ଗଳାରେ। ଛୋଟନାଗପୁରରେ ଅନ୍ତର୍ଭୁକ୍ତ ହେଲା ବଣେଇ ଗଡଜାତ। ବିପର୍ଯ୍ୟସ୍ତ ହୋଇପଡ଼ିଲା ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ତଥା ସାମାଜିକ ଚଳଣି। ଏହି ସୁଯୋଗରେ ପ୍ରତିବେଶୀଙ୍କ ପକ୍ଷରୁ ଆରମ୍ଭ ହୋଇଗଲା ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ବିଲୋପ କରିଦେବାର ଚକ୍ରାନ୍ତ। ଏଭଳି ହୀନ ଚକ୍ରାନ୍ତକୁ ପ୍ରତିହତ କରିବା ପାଇଁ ଆଗେଇ ଆସିଲେ ବ୍ୟାସକବି ଫକୀରମୋହନ, କବିବର ରାଧାନାଥ, କର୍ମବୀର ଗୌରୀଶଙ୍କର, ରାଜା ବୈକୁଣ୍ଠନାଥ ଦେ ପ୍ରମୁଖ ବହୁ ଦେଶପ୍ରେମୀ। ପ୍ରାଚୀନ ନଥି, ପୋଥି, ଦଲିଲ ଓ ଦସ୍ତାବିଜ ଆଧାରରେ ସେମାନେ ସାବ୍ୟସ୍ତ କଲେ ଓଡ଼ିଆ ଭାଷାର ମୌଳିକତା। ଏହି ଭାଷା ସୁରକ୍ଷା ସଂଗ୍ରାମର ସଫଳତାରୁ ଦାନା ବାନ୍ଧିଲା ଦେଶ ମିଶ୍ରଣ ଆନ୍ଦୋଳନ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଲକ୍ଷ୍ୟ ନେଇ ଏକାଠି ହେଲେ ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, ମହାରାଜା କୃଷ୍ଣଚନ୍ଦ୍ର ଦେବ, କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଏବଂ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ପ୍ରମୁଖ ଓଡ଼ିଶାର ଶହ ଶହ ବରପୁତ୍ର। ଗଠନ ହେଲା ଉତ୍କଳ ସମ୍ମିଳନୀ। ସେହି ଜାତୀୟ ମହାମଞ୍ଚ ମାଧ୍ୟମରେ ପ୍ରବାହିତ ହେଲା ଉତ୍କଳୀୟତାର ଉତ୍ତାଳ ତରଙ୍ଗ। ଦୀର୍ଘ ୩୩ବର୍ଷର ନିରବଚ୍ଛିନ୍ନ ସଂଗ୍ରାମ ପରେ ଗଠନ ହେଲା (୧୯୩୬)ସ୍ବତନ୍ତ୍ର ଉତ୍କଳ ପ୍ରଦେଶ। ମାତ୍ର ତାହା ମଧୁବାବୁଙ୍କ ସ୍ବପ୍ନର ଓଡ଼ିଶା ନୁହେଁ,ଏକ ବିଖଣ୍ଡିତ ଓଡ଼ିଶା। ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ସୀମା ନିର୍ଦ୍ଧାରଣ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଦିନେ ମଧୁବାବୁ କହିଥିଲେ- ଯେଉଁ ଅଞ୍ଚଳ ଯାଏ ଓଡ଼ିଆ ଭାଗବତ ଓ ଲକ୍ଷ୍ମୀପୁରାଣ ପଢ଼ାଯାଉଛି, ସେହି ପର୍ଯ୍ୟନ୍ତ ଓଡ଼ିଶାର ସୀମା ପରିବ୍ୟାପ୍ତ। ମାତ୍ର ବିଡ଼ମ୍ବନାର ବିଷୟ ସିଂହଭୂମି, ମେଦିନପୁର, ମଞ୍ଜୁସା, ଟିକାଲି ଓ ସାରଙ୍ଗଗଡ଼ ଆଦି ଖାଣ୍ଟି ଓଡ଼ିଆ ଅଞ୍ଚଳ ରହିଗଲା ଓଡ଼ିଶା ବାହାରେ। ଲକ୍ଷ ଲକ୍ଷ ଓଡ଼ିଆଙ୍କ ଉପରେ ଲଦି ଦିିଆଗଲା ଅନ୍ୟ ରାଜ୍ୟର ଭାଷା ଓ ସଂସ୍କୃତି। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାର ଆଠ ଦଶନ୍ଧି ପରେ ସେସବୁ ବିଚ୍ଛିନ୍ନାଞ୍ଚଳ ଆଉ ଓଡ଼ିଶାରେ ମିଶିବାର ସମ୍ଭାବନା ନାହିଁ କହିଲେ ଚଳେ। ବରଂ ବଢ଼ି ବଢ଼ି ଯାଉଛି ଓଡ଼ିଶାରୁ ଆଉ କିଛି ଅଞ୍ଚଳ ହାତଛଡ଼ା ହୋଇ ଯିବାର ଆଶଙ୍କା। ଗୋଟେ ପାଖରେ କୋଟିଆ ଆନ୍ଧ୍ରର ଆଁ ଭିତରକୁ ଟାଣି ହୋଇଯାଉଛି ତ ଆରପଟେ ବାଲିଦ୍ବୀପକୁ ଅଧିକାର କରିବା ପାଇଁ ଦୀର୍ଘଦିନ ଧରି ପ୍ରୟାସ ଜାରି ରଖିଛି ପଶ୍ଚିମବଙ୍ଗ ସରକାର। ନବରଙ୍ଗପୁର ଜିଲାର ଡାଙ୍ଗିରପଦା, ମୋହୁଣ୍ଡା ଓ ଉଦୟପୁର ଅଞ୍ଚଳରେ ଛତିଶଗଡ଼ ସରକାରଙ୍କ ସହିତ ଲାଗିରହିଛି ସୀମା ବିବାଦ। ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର ଚଉଦଟି ଗ୍ରାମକୁ ନେଇ ଝାଡ଼ଖଣ୍ଡ ସହିତ ତୁଟୁନି ବିବାଦ। ଓଡ଼ିଶାର ଏମିତି ଦଶଟି ଜିଲା ଅନ୍ତର୍ଗତ ଶତାଧିକ ଗାଁ, ନଦୀ ନାଳ ଓ ଜଙ୍ଗଲ ଉପରେ ପଡ଼ୋଶୀଙ୍କ ଆଖି। ସେମାନଙ୍କର ଏଭଳି ବିସ୍ତାରବାଦୀ ମନୋଭାବ କାରଣରୁ ସମାଧାନ ହୋଇପାରୁନି ଆନ୍ତଃରାଜ୍ୟ ସୀମା ବିବାଦ।
କେବଳ ଓଡ଼ିଶାର ଭୌଗୋଳିକ ସୀମା ଉପରେ ଆକ୍ରମଣ ନୁହେଁ, ପଡ଼ୋଶୀ ରାଜ୍ୟଗୁଡ଼ିକରେ ରହୁଥିବା ଓଡ଼ିଆ ଲୋକଙ୍କ ତୁଣ୍ଡରୁ ତାଙ୍କ ମାତୃଭାଷାକୁ ଛଡ଼ାଇ ନିଆଯାଉଛି । କୋଟିଆ ଗ୍ରାମପୁଞ୍ଜରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଏବେ ଓଡ଼ିଆ ପରିବର୍ତ୍ତେ ପଢ଼ାଯାଉଛି ତେଲୁଗୁ। ମାତୃଭାଷା ପ୍ରତି ଏଭଳି ଅବମାନନା ସତ୍ତ୍ବେ ବି ତା’ର ସମ୍ମାନ ଓ ସୁରକ୍ଷା ପାଇଁ ତୀବ୍ର ହୋଇପାରୁନି ଓଡ଼ିଆଙ୍କ ପ୍ରତିବାଦର ସ୍ବର। ଉପରୋକ୍ତ ପ୍ରେକ୍ଷାପଟରେ ଉପଯୁକ୍ତ ମାର୍ଗ ଖୋଜିବା ପାଇଁ ଆମେ ଆମର ପୂର୍ବ ସୁରୀଙ୍କ ତ୍ୟାଗ ଓ ସଂଗ୍ରାମର କାହାଣୀକୁ ସ୍ମରଣ କରିବା ଉଚିତ। ଓଡ଼ିଆ ଭାଷାର ସ୍ବୀକୃତି ପାଇଁ ଓ ଭାଷା ଭିତ୍ତିରେ ରାଜ୍ୟଟିଏ ପାଇବା ପାଇଁ ସେମାନଙ୍କୁ କିଭଳି ସଂଘର୍ଷ କରିବାକୁ ପଡ଼ିଛି ତାହା ଡ. ମାୟାଧର ମାନସିଂହ ଖୁବ୍‌ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି ତାଙ୍କ ଓଡ଼ିଆ ସାହିତ୍ୟର ଇତିହାସ ଗ୍ରନ୍ଥରେ। ସେ ଲେଖିଛନ୍ତି-‘ଅନ୍ୟ କୌଣସି ଭାରତୀୟ ଭାଷାକୁ ନିଜର ସ୍ଥିତି ପାଇଁ ଏପରି କଠିନ ସଂଗ୍ରାମ କରିବାକୁ ପଡିନାହିଁ, ଯେପରି ଘଟିଛି ବିଚରା ଓଡ଼ିଆ ଭାଷାର ଭାଗ୍ୟରେ। କୌଣସି ଭାରତୀୟ ଭାଷା ମଧ୍ୟ ପ୍ରତିବେଶୀ ଭଗିନୀ-ଭାଷାମାନଙ୍କ ଦୌରାତ୍ମ୍ୟ ଫଳରେ ନିଜର ଅଧିକାର ଭୂମି ହରାଇ ନାହିଁ, ଯେପରି ହରେଇଛି ବିଚରା ଓଡ଼ିଆ ଭାଷା।’ ସେ ପୁଣି ଲେଖିଛନ୍ତି- ‘ଏକ ଐତିହାସିକ ଜାତିର ନିଷ୍ଠୁର ଜୀବନ୍ତ କର୍ତ୍ତନ ପୃଥିବୀର ଅନ୍ୟ କୌଣସିଠାରେ ଦେଖାଯାଇ ନାହିଁ, ଯେପରି ଘଟି ଯାଇଛି ଓଡ଼ିଆଙ୍କ ସମ୍ପର୍କରେ।’
ଇତିହାସକୁ ବଦଳେଇବା ମଣିଷ ପକ୍ଷରେ ସମ୍ଭବ ନୁହେଁ, ମାତ୍ର ତା’ ପକ୍ଷେ ସମ୍ଭବ ଗୋଟେ ଦୃଢ଼ ବର୍ତ୍ତମାନ ନିର୍ମାଣ ଆଧାରରେ ଭବିଷ୍ୟତ ପାଇଁ ଉଦାହରଣ ରଖିଯିବାର ସୌଭାଗ୍ୟ। ଏକଦା ପଡ଼ୋଶୀଙ୍କ ଚକ୍ରାନ୍ତରେ ବିପନ୍ନ ହୋଇପଡ଼ିଥିଲା ଓଡ଼ିଆ ଭାଷା। ମାତ୍ର ଆମ ପାଖରେ ଥିଲା ତା’ର ଗୌରବୋଜ୍ଜ୍ବଳ ଅତୀତକୁ ପ୍ରତିପାଦନ କରିପାରିବାର ସାମର୍ଥ୍ୟ; ଯାହା ଫଳରେ ଓଡ଼ିଆ ଭାଷାକୁ ଆଜି ମିଳିଛି ଏକ ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା। ଏ କ୍ଷେତ୍ରରେ ପଛରେ ପଡ଼ିଗଲେ ଷଡ଼ଯନ୍ତ୍ର ରଚିଥିବା ପଡ଼ୋଶୀ। ସେମିତି ସୀମା ବିବାଦରେ ଆନ୍ଧ୍ରର ଦାବିକୁ ଅଯୌକ୍ତିକ ବୋଲି ପ୍ରମାଣ କରିବାକୁ ହେଲେ କେବଳ ସରକାର ନୁହେଁ, ଦଳମତ ନିର୍ବିଶେଷରେ ଓଡ଼ିଶାର ସବୁ ରାଜନେତା, ବୁଦ୍ଧିଜୀବୀ ତଥା ସବୁ ସଚେତନ ନାଗରିକ ଗୋଟିଏ ମଞ୍ଚରେ ଏକାଠି ହୋଇ ଲଢ଼େଇ କରିବା ଉଚିତ। ସେମାନେ ଭାବି ନେବା ଦରକାର, କୋଟିଆ କେବଳ ଏକ ଗାଁ ନୁହେଁ, ଏହା ଓଡ଼ିଶାର ଅସ୍ମିତା ଓ ଅଖଣ୍ଡତାର ପରିଚୟ।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡ଼ା, ମୟୂରଭଞ୍ଜ, ମୋ:୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri