ଭୋଟ ଦେଇ ଫେରୁଥିଲେ କୋଟିଆ ଭୋଟର: ବାଟରେ ଘଟିଲା ଦୁର୍ଘଟଣା

ପଟ୍ଟାଙ୍ଗି,୧୩।୫(ଶରତ ଧଳ): ରାଜ୍ୟରେ ଲୋକସଭା ଏବଂ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ମତଦାନ କରି ଘରକୁ ଫେରୁଥିବା ବେଳେ ଏକ ମିନିବସ୍‌ ଦୁର୍ଘଟଣାର ଶିକାର ହୋଇଛି। ଦୁର୍ଘଟଣାରେ କୋଟିଆର କେତେକ ଭୋଟର୍‌ ଆହତ ହୋଇଥିବା ଜଣାପଡିଛି। ଏହି ଦୁର୍ଘଟଣା ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ନେରିଡିବାଲସା ଗ୍ରାମ ନିକଟରେ।

ମିଳିଥିବା ସୂଚନା ମୁତାବକ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ସୀମାନ୍ତ ଭୋଟର୍‌ଙ୍କ ପାଇଁ ଗାଡ଼ିର ବ୍ୟବସ୍ଥା କରାଯାଇଥିଲେ। ଏନେଇ ଏକ ମିନିବସ୍‌ ଯୋଗେ ୧୫ଜଣ ଭୋଟର୍‌ ରଣାସିଂ ମତଦାନ କେନ୍ଦ୍ରକୁ ଯାଇଥିଲେ। ସେଠାରେ ନିଜ ମତଦାନ ସାବ୍ୟସ୍ତ କରି ଘରକୁ ଫେରୁଥିଲେ। ହେଲେ ବାଟରେ ମିନି ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା। ଫଳରେ ବସ୍‌ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ କେତେଜଣ ଭୋଟର ଆହତ ହୋଇଥିଲେ। ଅନ୍ୟପକ୍ଷେ ବସ୍‌ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଭୋଟରମାନେ ପ୍ରକାଶ କରିଛନ୍ତି।