କୋଭିଡ-୧୯ ପରିଚାଳନା ହେବ ବିରୋଧୀଙ୍କ ମୁଖ୍ୟ ଅସ୍ତ୍ର

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଅଧିବେଶନର ଅବଧିକୁ ୮ ଦିନରେ ସୀମିତ କରାଯାଇଛି। ତେବେ ସ୍ବଳ୍ପ ସମୟ ପାଇଁ ବସୁଥିବା ଏହି ଅଧିବେଶନ ବେଶ୍‌ ସରଗରମ ହେବ । କରୋନା ପରିଚାଳନାରେ ତ୍ରୁଟି ଏବଂ ଦୁର୍ନୀତି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। କୋଭିଡ-୧୯ ସଂକ୍ରମଣ ରୋକିବା ଦିଗରେ ସରକାରଙ୍କ ବିଫଳତାକୁ ବିରୋଧୀ ମୁଖ୍ୟ ଅସ୍ତ୍ର କରିବେ। ଏଥିସହିତ ବେକାରି ସମସ୍ୟା, ଚାଷୀ ସମସ୍ୟା, ବିଜୁଳି ଦର ବୃଦ୍ଧି, ବଗଲା ଧର୍ମଶାଳା ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ହଲାପଟା କରିବେ। ଶାସକ ଦଳ ମଧ୍ୟ ବିରୋଧୀଙ୍କୁ ମୁକାବିଲା କରିବାକୁ ରଣନୀତି ପ୍ରସ୍ତୁତ କରିଛି। ଜାତୀୟ ଶିକ୍ଷା ନୀତି, କୃଷି ବିଲ୍‌ ପ୍ରସଙ୍ଗକୁ ବିଜେଡି ଗୃହରେ ଆଲୋଚନା କରିବା ସମ୍ଭାବନା ରହିଛି। ସୋମବାର ସନ୍ଧ୍ୟା ୫ଟାରେ କଂଗ୍ରେସର ବିଧାୟକ ଦଳ ବୈଠକ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଧିବେଶନରେ କୋଭିଡ ପରିଚାଳନାରେ ହୋଇଥିବା ଦୁର୍ନୀତି, ନାରୀ ନିର୍ଯାତନା ଓ ଅବ୍ୟବସ୍ଥା ବିଷୟକୁ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିବାକୁ ନିଷ୍ପତ୍ତି ନେଇଛି । ଏଥିସହିତ କେନ୍ଦ୍ରର କୃଷି ବିଲ୍‌କୁ ବିରୋଧ, ଆଇନ ଶୃଙ୍ଖଳା, ବିଜୁଳି ଦର ବୃଦ୍ଧି, ବେକାରି ସମସ୍ୟାକୁ ମଧ୍ୟ ଅଧିବେଶନରେ ଜୋରଦାର ଉଠାଯିବ ବୋଲି ନରସିଂହ କହିଛନ୍ତି। ସମୟ କମ୍‌ ଥିବାରୁ ସବୁ ପ୍ରସଙ୍ଗ ଆଲୋଚନା କରିବା ସମ୍ଭବ ହେବ ନାହିଁ। ତେବେ ଲୋକମାନଙ୍କର ମୁଖ୍ୟ ପ୍ରସଙ୍ଗକୁ ନେଇ କଂଗ୍ରେସ ସରକାରଙ୍କଠାରୁ ଜବାବ ତଲବ କରିବ ବୋଲି ସେ କହିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ସରକାରଙ୍କ ବିଫଳତାକୁ ବିଧାନସଭାରେ ଉଠାଇବୁ। ତେବେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବୁ ନାହିଁ।

Share