Categories: ଜାତୀୟ

ରାଷ୍ଟ୍ରପତିଙ୍କ ବିଦାୟୀ ଭାଷଣ: କହିଲେ, ମୁଁ ମୋର ଦାୟିତ୍ୱକୁ ଯଥାସମ୍ଭବ କରିଛି ପୂରଣ

ନୂଆଦିଲ୍ଲୀ,୨୪।୭: ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରବିବାର ଦେଶକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ପାଞ୍ଚ ବର୍ଷ ପୂର୍ବେ ଆଜି ଆପଣ ସମସ୍ତେ ମୋ ଉପରେ ବିଶ୍ୱାସ ରଖିଥିଲେ ଏବଂ ଆପଣଙ୍କର ନିର୍ବାଚିତ ପ୍ରତିନିଧୀଙ୍କ ମାଧ୍ୟମରେ ମୋତେ ଭାରତର ରାଷ୍ଟ୍ରପତି ଭାବରେ ମନୋନୀତ କରିଥିଲେ। ମୁଁ ଆପଣ ସମସ୍ତ ଦେଶବାସୀ ଏବଂ ଆପଣଙ୍କ ଲୋକ ପ୍ରତିନିଧୀମାନଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। ମୋ ପରି ଜଣେ ସାଧାରଣ ପିଲା, ଯିଏ ଝୁମ୍ପୁଡି ଘରେ ରହୁଥିଲେ, ଆମ ଗଣତନ୍ତ୍ର ବିଷୟରେ କୌଣସି ଜ୍ଞାନ କିମ୍ବା ସୂଚନା ପାଇବା କଳ୍ପନା ବାହାରେ ଥିଲା। ସେହି ପିଲା ଦିନେ ରାଇସିନା ହିଲ୍ସରେ ପହଞ୍ଚିବା ସୌଭାଗ୍ୟର କଥା। ଭାରତର ଗଣତନ୍ତ୍ରର ଶକ୍ତି ହେଉଛି, ଏଥିରେ ଥିବା ପ୍ରତ୍ୟେକ ନାଗରିକଙ୍କ ପାଇଁ ରାସ୍ତା ଖୋଲା ଅଛି, ସମସ୍ତେ ଏହି ଦେଶ ନିର୍ମାଣରେ ଅଂଶଗ୍ରହଣ କରିପାରିବେ। କାର୍ଯ୍ୟକାଳ ମଧ୍ୟରେ ପୈତୃକ ଗ୍ରାମ ପରିଦର୍ଶନ କରିବା ଏବଂ କାନପୁର ବିଦ୍ୟାଳୟରେ ବୃଦ୍ଧ ଶିକ୍ଷକଙ୍କ ପାଦ ଛୁଇଁବା ଏବଂ ସେମାନଙ୍କ ଆଶୀର୍ବାଦ ପାଇବା ଜୀବନର ସ୍ମରଣୀୟ ମୂହୁର୍ତ୍ତ ମଧ୍ୟରେ ରହିବ ବୋଲି ରାମ ନାଥ କୋବିନ୍ଦ କହିଛନ୍ତି।
ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ ଆହୁରି ମଧ୍ୟ କହିଛନ୍ତି, ଭାରତ ଭଳି ଦେଶକୁ ଆଗେଇ ନେବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ। ଏହି ଦେଶରେ ତିଳକ, ଗୋଖଲେ, ଭଗତ ସିଂ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ; ଜବାହରଲାଲ ନେହରୁ, ସର୍ଦ୍ଦାର ପଟେଲ ଏବଂ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କଠାରୁ ସରୋଜିନୀ ନାଇଡୁ ଏବଂ କମଳାଦେବୀ ଚଟ୍ଟୋପାଧ୍ୟାୟ ପର୍ଯ୍ୟନ୍ତ ମହାନ ବ୍ୟକ୍ତିତ୍ୱ ରହିଛନ୍ତି। ଏହି ସମସ୍ତ ବ୍ୟକ୍ତିତ୍ୱଙ୍କ ଏକମାତ୍ର ଲକ୍ଷ୍ୟ, ମାନବତା ପାଇଁ ପ୍ରସ୍ତୁତ ରହିବା। ମାନବତା ଇତିହାସରେ ଏପରି ଘଟଣା ପୂର୍ବରୁ କେବେ ଦେଖାଯାଇ ନ ଥିଲା। ଆମର ପୂର୍ବଜ ତଥା ଆମର ଆଧୁନିକ ରାଷ୍ଟ୍ରର ନିର୍ମାଣକାରୀମାନେ ଭ୍ରାତୃତ୍ୱର ଆଦର୍ଶକୁ ହୃଦୟଙ୍ଗମ କରିଛନ୍ତି। ଆମକୁ କେବଳ ସେମାନଙ୍କ ପଦାଙ୍କ ଅନୁସରଣ କରିବାକୁ ପଡିବ ଏବଂ ଆଗକୁ ବଢିବାକୁ ପଡିବ। ମୋର କାର୍ଯ୍ୟକାଳର ପାଞ୍ଚ ବର୍ଷ ମଧ୍ୟରେ, ମୁଁ ମୋର ଦାୟିତ୍ୱକୁ ଯଥାସମ୍ଭବ ପୂରଣ କରିଛି।

Share