ଅବସର ନେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ନିରଞ୍ଜନ ସେଠୀଙ୍କୁ ନିର୍ଦ୍ଦେଶକ ଦାୟିତ୍ୱ

ଭୁବନେଶ୍ୱର, ୩୧।୫(ବ୍ୟୁରୋ): ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସୋମବାର ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ସେ ୧ବର୍ଷ ୧୦ମାସ ଧରି ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ କୋଭିଡ୍‌ ପରିସ୍ଥିତିରେ ଗଣମାଧ୍ୟମ ସୁପରିଚାଳନା କରିବା ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ରହିଥିଲା। ଏହା ପୂର୍ବରୁ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରିଥିଲେ। ତାଙ୍କ ଅବସର ପରେ ବିଭାଗୀୟ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି। ସୋମବାର ବିଭାଗ ପକ୍ଷରୁ ଏ ନେଇ ଏକ ଆଦେଶନାମା ପ୍ରକାଶ ପାଇଛି। ପ୍ରକାଶଥାଉକି, ନିରଞ୍ଜନ ସେଠୀଙ୍କର ଦୀର୍ଘବର୍ଷ ଧରି ଏହି ବିଭାଗୀୟ କାର୍ଯ୍ୟରେ ଅଭିଜ୍ଞତା ରହିଛି। ବିଦାୟୀ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ରଙ୍କୁ ଏହି ଅବସରରେ ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। କୋଭିଡ୍‌ କଟକଣା ମଧ୍ୟରେ ଲୋକ ସମ୍ପର୍କ ଭବନଠାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭାଗୀୟ ଯୁଗ୍ମ ଶାସନ ସଚିବ, ଯୁଗ୍ମ ନିର୍ଦ୍ଦେଶକ, ଓଡ଼ିଶା ସୂଚନା ସେବା ସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share