ନୂଆଦିଲ୍ଲୀ,୩୦ା୧: ଭଗବାନ୍ କୃଷ୍ଣ ଓ ହନୁମାନ ବିଶ୍ୱର ସବୁଠୁ ବଡ଼ କୂଟନୀତିଜ୍ଞ ଥିଲେ। କୂଟନୀତି ଦୃଷ୍ଟିରୁ ମହାଭାରତ ଓ ରାମାୟଣର ଗୁରୁତ୍ୱ ସର୍ବାଧିକ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଡ. ଏସ୍. ଜୟଶଙ୍କର କହିଛନ୍ତି।
ପୁଣେରେ ନିଜ ଇଂଲିଶ୍ ପୁସ୍ତକ ‘ଦି ଇଣ୍ଡିଆ ଓ୍ବେ: ଷ୍ଟ୍ରାଟେଜିଜ୍ ଫର୍ ଆନ୍ ଅନ୍ସାର୍ଟେନ୍ ଓ୍ବାଲର୍ଡ’ ଉନ୍ମୋଚନ ଅବସରରେ ଜୟଶଙ୍କର କହିଛନ୍ତି, ହନୁମାନ ନିଜ ମିଶନକୁ ସଫଳ କରିବା ପାଇଁ ସୀତାଙ୍କୁ ଠାବ କରିବା ସହ ଲଙ୍କାରେ ନିଅଁା ମଧ୍ୟ ଲଗାଇଦେଇଥିଲେ। ସେହିପରି ଶିଶୁପାଳଙ୍କୁ ଅନେକ ଥର କ୍ଷମାକରିବା ହେଉଛି ଶ୍ରୀକୃଷ୍ଣଙ୍କ ରଣନୈତିକ ଧୈର୍ଯ୍ୟର ପରିଚୟ। କୃଷ୍ଣ ଶିଶୁପାଳଙ୍କୁ ୧୦୦ ଭୁଲ୍ ପାଇଁ କ୍ଷମା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଶେଷରେ ୧୦୧ତମ ଭୁଲ୍ ବେଳେ ତାଙ୍କୁ ବଧ କରିବେ ବୋଲି କହିଥିଲେ। କୁରୁକ୍ଷେତ୍ରରେ କୌରବ ଓ ପାଣ୍ଡବ ମହାଭାରତ ଯୁଦ୍ଧ ଲଢ଼ିଥିଲେ। ରଣନୈତିକ ସ୍ବାୟତ୍ତତା ହେଉଛି ଅନ୍ୟ ଦେଶଗୁଡ଼ିକ ଦ୍ୱାରା ପ୍ରଭାବିତ ନ ହୋଇ ନିଜ ଜାତୀୟ ସ୍ବାର୍ଥ ହାସଲ ଓ ବହିର୍ବ୍ୟାପାର ନୀତିକୁ ସଫଳ କରିବା ପାଇଁ ଏକ ରାଷ୍ଟ୍ରର ସାମର୍ଥ୍ୟ। ‘ରଣନୈତିକ ପ୍ରତାରଣା’ ସମ୍ପର୍କରେ କହିବାକୁ ଯାଇ ଜୟଶଙ୍କର କହିଛନ୍ତି, ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁଙ୍କୁ କୌରବମାନେ ହତ୍ୟା କରିଥିଲେ। ଅର୍ଜୁନ ପ୍ରତିଶୋଧ ଲାଗି ଜୟଦ୍ରଥଙ୍କୁ ସନ୍ଧ୍ୟା ସୁଦ୍ଧା ବଧ କରିବାକୁ ଶପଥ ନେଇଥିଲେ। କୌରବମାନେ ଜୟଦ୍ରଥଙ୍କୁ ସନ୍ଧ୍ୟା ସୁଦ୍ଧା ଲୁଚାଇ ରଖିଥିଲେ। ସୂର୍ଯ୍ୟାସ୍ତ ପରେ ଜୟଦ୍ରଥ ଉଭା ହେବାରୁ ତାଙ୍କୁ ତତ୍କାଳ ବଧ କରିବା ପାଇଁ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ପରାମର୍ଶ ଦେଲେ। ଅର୍ଜୁନଙ୍କ ଶରରେ ଜୟଦ୍ରଥଙ୍କ ଶିରଚ୍ଛେଦ ହୋଇଥିଲା।
ଭାରତର ପଡ଼ୋଶୀ ଦେଶଗୁଡ଼ିକର ଆଚରଣକୁ ନେଇ ବିରୋଧୀଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଉଥିବାବେଳେ ଏସ୍. ଜୟଶଙ୍କର କହିଛନ୍ତି, ପାଣ୍ଡବମାନେ ନିଜ ସମ୍ପର୍କୀୟଙ୍କୁ ଚୟନ କରିପାରି ନ ଥିଲେ। ଆମେ ନିଜ ପଡ଼ୋଶୀଙ୍କୁ ବାଛିପାରିବା ନାହିଁ। କର୍ଣ୍ଣ (ଚାଇନା) ଓ ଦୁର୍ଯ୍ୟୋଧନ (ପାକିସ୍ତାନ) ବାରମ୍ବାର ସୀମାର ନିୟମଗୁଡ଼ିକୁ ଉଲ୍ଲଂଘନ କରୁଛନ୍ତି। କର୍ଣ୍ଣ ଓ ଦୁର୍ଯ୍ୟୋଧନଙ୍କ ମିତ୍ରତାରୁ ଉଭୟେ କିମ୍ବା ସେମାନଙ୍କ ପରିବାର ଲୋକେ କିଛି ଲାଭ ପାଇ ନ ଥିଲେ। ଓଲଟା ଏହି ବନ୍ଧୁତାରୁ ଦୁହଁିଙ୍କ ଜୀବନ ଚାଲିଯାଇଥିଲା।