କୃଷ୍ଣଚନ୍ଦ୍ରଙ୍କୁ ମିଳିଲା ମନ୍ତ୍ରୀପଦ, କର୍ମୀ ମହଲରେ ଉତ୍ସାହ

ମୋରଡ଼ା,୧୨ା୬(ସ୍ମାରକ ମାଜୀ): ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ସଂଖ୍ୟା ଗରିଷ୍ଠତା ହାସଲ କରି ଏକାକୀ ସରକାର ଗଠନ କରିଛି। ଏହି ପରିପ୍ରେକ୍ଷୀରେ ବୁଧବାର ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝିଙ୍କ ସମେତ ୧୫ ଜଣ ବିଧାୟକ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ଶପଥ ପାଠ କରିଛନ୍ତି। ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ କ୍ୟାବିନେଟ୍‌ ପାହ୍ୟାରେ ସ୍ଥାନ ମିଳିଥିବାରୁ ଅଞ୍ଚଳରେ ଆନନ୍ଦ ଉଲ୍ଲାସ ଖେଳିଯାଇଥିବା ବେଳେ ଭାଜପା କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି।
୨୦୦୯ରୁ ଗଠିତ ଉକ୍ତ ନିର୍ବାଚନମଣ୍ଡଳୀରେ ପ୍ରଥମେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଉକ୍ତ ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇ ବିଜେଡି ସରକାରଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ଏହାପରେ କିନ୍ତୁ ୨୦୧୯ରେ ବିଜେଡିରୁ ରାଜକିଶୋର ଦାସ ବିଧାୟକ ହୋଇଥିଲେ ମଧ୍ୟ ବିଜେଡି ସରକାରଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନ ଥିଲେ।
ତେବେ ଚଳିତ ଥର ଭାଜପା ସରକାର ସମୟରେ କୃଷ୍ଣଚନ୍ଦ୍ରଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିଥିବାରୁ ନିର୍ବାଚନମଣ୍ଡଳୀର ଚିତ୍ରଡ଼ା, ମୋରଡ଼ା, ରାସଗୋବିନ୍ଦପୁର,ଶୁଳିଆପଦା ପ୍ରଭୃତି ସ୍ଥାନରେ ଭାଜପା କର୍ମୀମାନେ ମିଠା ବାଣ୍ଟି ଆଜିର ଦିନକୁ ସ୍ମରଣୀୟ କରିଛନ୍ତି। ତେବେ କୃଷ୍ଣଚନ୍ଦ୍ରଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ପରେ ତାଙ୍କ ନିକଟରୁ ଅଞ୍ଚଳବାସୀ ଢେର ଆଶା ବାନ୍ଧି ରଖିଛନ୍ତି। ଅଞ୍ଚଳ ତଥା ଅଞ୍ଚଳବାସୀଙ୍କ ପ୍ରମୁଖ ସମସ୍ୟା ସମାଧାନ କରାଇବାରେ ସେ ସକ୍ଷମ ହେବେ ବୋଲି ମୋରଡ଼ା ବାସୀ ଆଶାବ୍ୟକ୍ତ କରିଛନ୍ତି।

Share