ବଲିଉଡ୍ ଅଭିନେତ୍ରୀଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହାନ୍ତି କ୍ରିତି

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ନାୟିକା କ୍ରିତି ସାନନ ଏବେ ଖୁବ୍ ଚର୍ଚ୍ଚାରେ । ନିଜର କଠିନ ପରିଶ୍ରମ ଓ ଏକାଗ୍ରତା ପାଇଁ ସେ ଆଜି ବଲିଉଡରେ ନିଜ ପାଇଁ ତିଆରି କରିଛନ୍ତି ଏକ ଭିନ୍ନ ପରିଚୟ । ନିକଟରେ ତାଙ୍କ ଅଭିନୀତ ମୁଭି ‘ମିମି’ ରିଲିଜ୍ ହୋଇଥିବା ବେଳେ ଏଥିରେ ତାଙ୍କର ଅଭିନୟକୁ ଦର୍ଶକେ ଖୁବ୍ ପ୍ରଶଂସା କରିଛନ୍ତି । କ୍ରିତି ଏହି ଫିଲ୍ମରେ ଜଣେ ସରୋଗେସି ମଦର ଭୂମିକାରେ ଅଭିନୟ କରିଛନ୍ତି । ନିକଟରେ ଏକ ସାକ୍ଷାତ୍‌କାରରେ କ୍ରିତି ତାଙ୍କ ମନର କଥା ଖୋଲି କହିଛନ୍ତି । ବଲିଉଡ୍‌ରେ ଏଣ୍ଟ୍ରି କରିବା ପରେ କେବେ ସେ ଆଉ ପଛକୁ ଫେରି ଚାହିଁବାକୁ ରାଜି ନୁହେଁ । ତେବେ ଆଗକୁ ସେ କିଛି ବାୟୋପିକ୍‌ରେ କାମ କରିବାକୁ ଇଚ୍ଛା ରଖିଛନ୍ତି । ତାହା ଯଦି ଦର୍ଶକଙ୍କର ପ୍ରିୟ ନାୟିକାମାନଙ୍କର ହୁଏ ତେବେ କ୍ରିତିଙ୍କ ଖୁସିର ସୀମା ରହିବ ନାହିଁ ବୋଧହୁଏ । ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯଦି ତାଙ୍କୁ ମଧୁବାଲା ଓ ମିନାକୁମାରୀଙ୍କ ବାୟୋପିକ୍‌ରେ କାମ କରିବାକୁ ସୁଯୋଗ ମିଳେ ତେବେ ସେ ସେହିଦିନ ସବୁଠାରୁ ଅଧିକ ଖୁସି ହେବେ । କାରଣ ଏହି ଦୁଇ ଅଭିନେତ୍ରୀଙ୍କ ବାୟୋପିକରେ କାମ କରିବାକୁ ଏବେଠାରୁ ସେ ଉତ୍ସାହିତ ଅଛନ୍ତି । ତାଙ୍କ ମତରେ ବଲିଉଡ୍ ଦୁନିଆରେ ଏମିତି କେତେଜଣ ବ୍ୟକ୍ତିତ୍ୱ ରହିଛନ୍ତି ଯାହାଙ୍କ କଥା ସାଧାରଣ ଦର୍ଶକେ କମ୍ ଜାଣନ୍ତି । ତେଣୁ ତାଙ୍କର ବାୟୋପିକ୍ କରାଗଲେ ଏହା ଦର୍ଶକଙ୍କୁ ନିଶ୍ଚିତ ପସନ୍ଦ ଆସିବ ।

Share