ବିବାଦ ଭୁଲି ଏକାଠି ଖେଳିବେ କୃନାଲ-ଦୀପକ: ସେହ୍ବାଗ କହିଲେ…

ବାଙ୍ଗାଲୋର,୧୩।୨: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟାଙ୍କୁ ୮.୨୫ କୋଟି ଟଙ୍କାରେ କିଣିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ସେ ପାଞ୍ଚ ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସର ଅଂଶବିଶେଷ ଥିଲେ। ତାଙ୍କ ସହ ଦୀପକ ହୁଦାଙ୍କୁ ଦଳରେ ସ୍ଥାନ ମିଳିଛି। ଗତ ବର୍ଷ ବିବାଦକୁ ନେଇ ଉଭୟ ଚର୍ଚ୍ଚାରେ ଥିବା ବେଳେ ଗୋଟିଏ ଟିମ୍‌ ସେମାନଙ୍କୁ କିଣିବା ଚର୍ଚ୍ଚାର ବିଷୟ ପାଲଟିଛି।

କୃନାଲ ଅପମାନଜନକ ଭାଷା କହିବା ସହ କ୍ୟାରିୟର ଶେଷ କରିବାକୁ ଧମକ ଦେଇଥିବା ଦୀପକ ଅଭିଯୋଗ କରିଥିଲେ। ଏପରିକି କୃନାଲଙ୍କ ସହ ଯୁକ୍ତିତର୍କ କରିବା ପରେ ସେ ବାୟୋ ବବଲ୍‌ ଛାଡ଼ି ଦେଇଥିଲେ। ଏହି ବିବାଦ ଯୋଗୁ ତାଙ୍କୁ ବରୋଦା କ୍ରିକେଟ ଆସୋସିଏଶନ ନିଲମ୍ବିତ କରିଥିଲା।

ଏଭଳି ପରିସ୍ଥିତିରେ ଚଳିତ ସିଜିନରେ ଉଭୟ ଏକାଠି ଖେଳିବାକୁ ଯାଉଛନ୍ତି। ସମାନ ଦଳ ପାଇଁ ଖେଳୁଥିବାରୁ ପ୍ରଶଂସକମାନେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଭାରତର ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହ୍ବାଗ ମଧ୍ୟ ଟୁଇଟରରେ ମଜାଳିଆ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ହୁଡା ଏବଂ କୃନାଲ ଭଲ ଯୋଡ଼ି ହେବେ। ବରୋଦା ବିଭାଜିତ କରିଥିଲା, ଲକ୍ଷ୍ନୌ ଯୋଡ଼ିଛି।

କହିରଖୁଛୁ, ଦଳରେ କୃନାଲ, ଦୀପକଙ୍କ ବ୍ୟତିତ ଲୋକେଶ ରାହୁଲ, ମାର୍କୁସ ଷ୍ଟୋଇନିସ, ମନୀଷ ପାଣ୍ଡେ, ମାର୍କ ଉଡ୍‌, କ୍ୱିଣ୍ଟନ ଡି’ କକ୍‌, ଜାସନ ହୋଲ୍ଡର, ଆଭେଶ ଖାଁ, ଅଙ୍କିତ ରାଜପୁତଙ୍କୁ ମଧ୍ୟ ସ୍ଥାନ ମିଳିଛି।

Share