ଗୁଜରାଟ ଚାମ୍ପିଅନ୍‌ ହେବା ପରେ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ-ଭାଉଜ

ଅହମ୍ମଦାବାଦ୍‌,୩୧।୫: ଆଇପିଏଲ ୨୦୨୨ର ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଗୁଜରାଟ ଟାଇଟାନ୍ସ ଟାଇଟଲ ଜିତିଛି। ଏହି ବିଜୟ ପରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସମେତ ସମସ୍ତେ ଭାବପ୍ରବଣ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଥର ପାଇଁ ଆଇପିଏଲରେ ଅଧିନାୟକତ୍ୱରେ ନିଜ ଜଲଓ୍ବା ଦେଖାଇ ଦଳକୁ ଚାମ୍ପିୟନ୍‌ କରାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା କିଛିଦିନ ହେବ ଆଘାତ ସହ ସଂଗ୍ରାମ କରୁଛନ୍ତି। ଏହି କାରଣରୁ ସେ ଭାରତୀୟ ଦଳରୁ ମଧ୍ୟ ବାଦ୍‌ ପଡିଛନ୍ତି। କିନ୍ତୁ ଆଇପିଏଲରେ ସେ ଦମ୍‌ଦାର ଭାବେ ଦଳକୁ ଫେରିଛନ୍ତି। ଦଳ ଚାମ୍ପିୟନ୍‌ ହେବାପରେ ହାର୍ଦ୍ଦିକ କହିଛନ୍ତି, ତାଙ୍କ ପରିବାର ହେଉଛି ତାଙ୍କର ଶକ୍ତି ଏବଂ ସେ କେବଳ ତାଙ୍କ ପରିବାରର ସମର୍ଥନ ହେତୁ ପ୍ରତ୍ୟାବର୍ତ୍ତନ କରିବାରେ ସକ୍ଷମ ହୋଇଥିଲେ। ନତାଶା ଅତ୍ୟନ୍ତ ଭାବପ୍ରବଣ ଏବଂ ମୁଁ ଭଲ କାମ କରୁଥିବାର ଦେଖି ତାଙ୍କୁ ବହୁତ ଖୁସି ଲାଗେ। ସେ ମୋ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି ଏବଂ ସେ ଜାଣନ୍ତି ମୁଁ କେତେ ପରିଶ୍ରମ କରିଛି। ମୋ ପରିବାର ମୋର ଶକ୍ତି। ମୋର ଭାଇ କ୍ରୁନାଲ, ଭାଉଜ ପଙ୍ଖୁରୀ, ସାନ ଭାଇ ବୈଭବ। ସମସ୍ତେ କଷ୍ଟ ସମୟରେ ମଧ୍ୟ ମୋତେ ମାନସିକ ଭାବେ ସାହାଯ୍ୟ କରିଥିଲେ। ଦଳ ଚାମ୍ପିୟନ୍‌ ହେବା ପରେ ଘରକୁ ଫୋନ କରିବାରୁ ଉଭୟ ଭାଇ ଓ ଭାଉଜ କାନ୍ଦିଥିଲେ। ଏମାନେ ଆନନ୍ଦର ଲୁହ ଥିଲା। ମୁଁ ଜାଣେ ଯେପର୍ଯ୍ୟନ୍ତ ମୋ ପଛରେ ଏପରି ଲୋକ ଅଛନ୍ତି, ମୁଁ ଭଲ ଖେଳିପାରିବି।
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୨ର ଫାଇନାଲରେ ରାଜସ୍ଥାନ ରୟାଲ୍ସ (ଆରଆର)କୁ ୭ ଉଇକେଟରେ ପରାସ୍ତ କରି ଗୁଜରାଟ ଆଇପିଏଲ ଟ୍ରଫି ଜିତିଛି। ଏହା ସହିତ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ଇତିହାସରେ ତୃତୀୟ ଅଧିନାୟକ ଭାବେ ଡେବ୍ୟୁ ସିଜନରେ ଆଇପିଏଲ ଟାଇଟଲ ଜିତିଛନ୍ତି। ସେନ ୱାର୍ନ ଏବଂ ରୋହିତ ଶର୍ମା ତାଙ୍କ ପୂର୍ବରୁ ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି। ଗୁଜରାଟର ଟାଇଟଲ ଜିତିବା ପରେ, ପାଞ୍ଚ ବର୍ଷ ପରେ, ଆଇପିଏଲ ଏକ ନୂତନ ଚାମ୍ପିୟନ ପାଇଛି।

 

Share